
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଏବେ ଅସୁରକ୍ଷିତ ହୋଇପଡ଼ିଛି । ବିଶେଷକରି ସିମନବାଡ଼ି ଛକରେ ଅମାନିଆ ଅଟୋ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଓ ବେଆଇନ ପାର୍କିଂ ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ଆଶଙ୍କା ବଢ଼ିବା ସହ ଏହା ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଶନିବାର ଅପରାହ୍ନରେ ଏକ ଅଟୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହେବା ଘଟଣା ଏହି ସମସ୍ୟାକୁ ପୁଣିଥରେ ସାମ୍ନାକୁ ଆଣିଛି । ସୂଚନା ଅନୁଯାୟୀ, ବାଲିଗୁଡ଼ା ଅଞ୍ଚଳର ଦେବାଶିଷ ମଲ୍ଲିକ ଶନିବାର ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା ଅଭିମୁଖେ ନିଜ ବାଇକ୍ରେ ଫେରୁଥିବା ସମୟରେ ସିମନବାଡ଼ି ଛକ ନିକଟରେ ଏକ ଅଟୋ ସହ ତାଙ୍କ ବାଇକ୍ର ଧକ୍କା ହୋଇଥିଲା । ଅଟୋଟି ହଠାତ୍ ଛକରୁ ବିପରୀତ ଦିଗକୁ ମୋଡ଼ ନେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଦେବାଶିଷ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣା ସମୟରେ ସେ ହେଲମେଟ୍ ପିନ୍ଧିଥିବା ସହ କାନ୍ଧରେ ବ୍ୟାଗ୍ ରହିଥିବାରୁ ଏକ ବଡ଼ ବିପଦରୁ ରକ୍ଷା ପାଇଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ସିମନବାଡ଼ି ବଜାର ଉପରେ ଆଖପାଖର ବହୁ ଦୁର୍ଗମ ଅଞ୍ଚଳର ଶହଶହ ଲୋକ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି । ଏଥିଯୋଗୁଁ ସିମନବାଡ଼ିରୁ ଦାରିଙ୍ଗବାଡ଼ି ମଧ୍ୟରେ ପ୍ରତିଦିନ ବହୁ ଅଟୋ ଯାତ୍ରୀ ପରିବହନ କରୁଛନ୍ତି । କିନ୍ତୁ ଯାତ୍ରୀ ଉଠାଇବା ଓ ଓହ୍ଲାଇବା ନାମରେ କିଛି ଅଟୋ ଚାଳକ ଜାତୀୟ ରାଜପଥର ଛକ ଉପରେ ମନଇଚ୍ଛା ଗାଡ଼ି ରଖୁଥିବା ଅଭିଯୋଗ ହେଉଛି । ଫଳରେ ରାସ୍ତା ସଂକୀର୍ଣ୍ଣ ହେବା ସହ ଅନ୍ୟ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଏପରିକି ହଠାତ୍ ଗାଡ଼ି ମୋଡ଼ିବା, ଯେକୌଣସି ସ୍ଥାନରେ ଯାତ୍ରୀ ଉଠାଇବା ଓ ଅବ୍ୟବସ୍ଥିତ ପାର୍କିଂ ଯୋଗୁଁ ଦାରିଙ୍ଗବାଡ଼ି-ବାଲିଗୁଡ଼ା ରାସ୍ତାରେ ଯାତାୟାତ କରୁଥିବା ବାଇକ୍ ଚାଳକଙ୍କ ସମେତ ଅନ୍ୟ ଗାଡ଼ି ଚାଳକମାନେ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସିମନବାଡ଼ି ଛକରେ ଅଟୋ ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବା ସହ ବେଆଇନ ପାର୍କିଂ ଉପରେ ରୋକ୍ ଲଗାଇବା ଜରୁରୀ ହୋଇପଡ଼ିଛି । ଏଥିସହ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ନିୟମିତ ଯାଞ୍ଚ ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ସଚେତନ ମହଲରେ ଦାବି ହେଉଛି । ଦୁର୍ଘଟଣା ଘଟିବା ପରେ ପଦକ୍ଷେପ ନେବା ପରିବର୍ତ୍ତେ ଆଗୁଆ ସତର୍କତା ଅବଲମ୍ବନ କରିବାକୁ ଦାବି ହୋଇଛି ।