jayashree

ଦାରିଙ୍ଗବାଡ଼ିରେ ଜାନୁଆରୀ ୯ରୁ ୧୧ ଯାଏଁ ଜମିବ ଶୀତ ମହୋତ୍ସବ–୨୦୨୭ର ଆସର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶାର କାଶ୍ମୀର ଭାବେ ସୁପରିଚିତ କନ୍ଧମାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ପୁଣି ଜମିବ ଶୀତ ମହୋତ୍ସବର ଆସର । ଶୀତର ମଜା ସାଙ୍ଗକୁ ସ୍ଥାନୀୟ କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନର ଆକର୍ଷଣକୁ ନେଇ ଆୟୋଜିତ ହେବାକୁ ଥିବା ଶୀତ ମହୋତ୍ସବ–୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ମହୋତ୍ସବ ଆୟୋଜନର ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ୨୦୨୭ ଜାନୁଆରୀ ୯, ୧୦ ଓ ୧୧ ତାରିଖ ତିନିଦିନ ଧରି ଏହି ମହୋତ୍ସବ ପାଳନ କରାଯିବ । ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଡିଓ, ପୁଲିସ ପ୍ରଶାସନର ଅଧିକାରୀ, ଭାଜପା ମଣ୍ଡଳ ସଭାପତିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସାମ୍ବାଦିକ ଓ ସମାଜସେବୀ ଯୋଗଦେଇଥିଲେ । ମହୋତ୍ସବକୁ କିପରି ଶୃଙ୍ଖଳିତ, ଆକର୍ଷଣୀୟ ଓ ସଫଳତାର ସହ ଆୟୋଜନ କରାଯାଇପାରିବ, ସେନେଇ ବିଭିନ୍ନ ପ୍ରସ୍ତାବ ଓ ମତାମତ ଉପସ୍ଥାପନ କରାଯାଇଥିଲା । ବିଶେଷକରି ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶୀତର ଅନୁଭୂତି, ପର୍ଯ୍ୟଟନ ସମ୍ଭାବନା ଏବଂ କନ୍ଧମାଳର ସମୃଦ୍ଧ କଳା ଓ ସଂସ୍କୃତିକୁ ରାଜ୍ୟସ୍ତରରେ ଅଧିକ ପରିଚିତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହା ସହିତ ମହୋତ୍ସବ ମାଧ୍ୟମରେ ସ୍ଥାନୀୟ କଳାକାର, କାରିଗର, ବ୍ୟବସାୟୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସୁଯୋଗ ଦେବା ସହ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି । ଆଗାମୀ ଦିନରେ ମହୋତ୍ସବର କାର୍ଯ୍ୟସୂଚୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅତିଥି ନିମନ୍ତ୍ରଣ, ମଞ୍ଚ ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ । ତିନିଦିନିଆ ଏହି ମହୋତ୍ସବକୁ ନେଇ ଦାରିଙ୍ଗବାଡ଼ିବାସୀଙ୍କ ସମେତ ପର୍ଯ୍ୟଟନ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି । ଏହି ମହୋତ୍ସବ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ପରିଚୟକୁ ଆହୁରି ସୁଦୃଢ଼ କରିବା ସହ କନ୍ଧମାଳର ସାଂସ୍କୃତିକ ଐତିହ୍ୟକୁ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.