
- ସ୍ଵେଚ୍ଛାସେବୀ ସଂଗଠନର ବାରମ୍ବାର ଦାବି ପରେ ପୌର ପ୍ରଶାସନର ତତ୍ପରତା
- ତିନି ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ପ୍ରତିଶୃତି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଏକମାତ୍ର ଟାଉନ୍ ହଲ୍ର ସଂସ୍କାର ଓ ପୁନଃରୁଦ୍ଧାର ପାଇଁ ଶେଷରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ହେବ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି ଐତିହ୍ୟ ସମ୍ପନ୍ନ ଗୃହର ଭାଗ୍ୟ ବଦଳିବାକୁ ଯାଉଛି । ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଦୃଢ ଦାବି ଏବଂ ଆନ୍ଦୋଳନର ଚେତାବନୀ ପରେ ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଆସନ୍ତା ଜୁନ୍ ମାସରୁ ଏହାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଅଗଷ୍ଟ ଶେଷ ସୁଦ୍ଧା ଏହା ଜନସାଧାରଣଙ୍କ ପାଇଁ ଉଦ୍ଘାଟନ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ସ୍ପଷ୍ଟ ପ୍ରତିଶୃତି ମିଳିଛି । ସହର ମଧ୍ୟଭାଗରେ ଥିବା ଏହି ଏକମାତ୍ର ସାଂସ୍କୃତିକ ଗୃହଟିର ଦୁରାବସ୍ଥା ଯୋଗୁଁ ଦୀର୍ଘ ଦିନ ହେବ ସହରରେ କୌଣସି ବଡ଼ ଧରଣର ସଭାସମିତି ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁ ନଥିଲା । ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥିବା ଏବଂ ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ସରିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହେଉଥିଲା । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଶତପଥି, ଉତ୍ତମ ନନ୍ଦ, ରବୀନ୍ଦ୍ର ପ୍ରଧାନ, ଦେବରାଜ ନାଗ, ସରୋଜ ଜାଲ, ପ୍ରଦୀପ ଜୁଏଡ ଓ ଶିବ ବେହେରା ପ୍ରମୁଖ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସଂଗଠନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଥିଲା ଯେ, ଯଦି ତୁରନ୍ତ କାର୍ଯ୍ୟ ଆରମ୍ଭ ନହୁଏ, ତେବେ ସହରବାସୀ ଗଣତାନ୍ତ୍ରିକ ପନ୍ଥାରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ଦାବିପତ୍ର ଗ୍ରହଣ କରିବା ପରେ ପୌରାଧ୍ୟକ୍ଷା ସଂଗଠନର ସଦସ୍ୟମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ସହରବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ସେ କହିଛନ୍ତି ଯେ, ଆସନ୍ତା ଜୁନ୍ ମାସ ମଧ୍ୟରେ ଟାଉନ୍ ହଲ୍ର ପୁନରୁଦ୍ଧାର କାର୍ଯ୍ୟ ନିଶ୍ଚିତ ଭାବେ ଆରମ୍ଭ କରାଯିବ ଏବଂ ଠିକ୍ ତିନି ମାସ ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ । ଅପରପକ୍ଷରେ, ପୌର ପରିଷଦର ନିର୍ବାହୀ ଅଧିକାରୀ ମଧ୍ୟ ଏହି ପ୍ରକଳ୍ପକୁ ଗୁରୁତ୍ୱର ସହ ନେଇ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପୌର ପ୍ରଶାସନର ଏହି ସକାରାତ୍ମକ ପ୍ରତିଶୃତି ପରେ ସହରର ବୁଦ୍ଧିଜୀବୀ ଓ କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି । ଏବେ ସମସ୍ତଙ୍କ ନଜର ପ୍ରଶାସନର କାର୍ଯ୍ୟକାରିତା ଉପରେ ରହିଛି ।