jayashree

ସରକାରୀ ବିକାଶର ବାସ୍ତବ ଚିତ୍ର : ଡଲାରେ ଗର୍ଭବତୀ, ଚାଲିଗଲା ଯମଜ ଶିଶୁଙ୍କ ଜୀବନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏକ ପଟେ ସରକାର ଗାଁ ଗାଁକୁ ବିକାଶ ପହଞ୍ଚିଥିବା ଦାବି କରୁଛନ୍ତି, ଅନ୍ୟପଟେ ଆଜି ମଧ୍ୟ ଗର୍ଭବତୀ ମହିଳାଙ୍କୁ ଡଲାରେ ବୁହା ହୋଇ ଡାକ୍ତରଖାନାକୁ ନେବାକୁ ପଡୁଛି । ଏହି ଲଜ୍ଜ୍ୟାଜନକ ଓ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଖପ୍ରାଖୋଲ ବ୍ଲକ ଘୁନଶର ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ଗ୍ରାମର କୁଶଳପଡାରେ । ଯେଉଁଠାରେ ଅବହେଳା, ଅବ୍ୟବସ୍ଥା ଓ ସରକାରୀ ବ୍ୟବସ୍ଥାର ଚରମ ବିଫଳତା ପାଇଁ ଦୁଇ ଦୁଇଟି ନବଜାତ ଶିଶୁଙ୍କ ଜୀବନ ଚାଲିଗଲା । ମଙ୍ଗଳବାର ୧୮ ବର୍ଷୀୟା ଗର୍ଭବତୀ ସୀମା ମାଝୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କ ସ୍ୱାମୀ ରୋହିତ ଧରୁଆ ଅସହାୟ ହୋଇ ତାଙ୍କୁ ଡଲାରେ ବୁହାଇ ପ୍ରାୟ ଗୋଟିଏ କିଲୋମିଟର ଅଗମ୍ୟ ରାସ୍ତା ଚାଲି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ପରେ ଆମ୍ବୁଲାନ୍ସରେ ତାଙ୍କୁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ସୀମା ଜଣେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ମାତ୍ର ୨୮୦ ଗ୍ରାମ ଓଜନର ସେହି ନବଜାତକୁ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ଦୁଃଖ ଏଠାରେ ଶେଷ ହୋଇନଥିଲା । ମହିଳାଙ୍କ ଗର୍ଭରେ ଆଉ ଏକ ଶିଶୁ ଥିବାରୁ ଖପ୍ରାଖୋଲ ଡାକ୍ତରଖାନାରେ ଉପଯୁକ୍ତ ସୁବିଧା ଓ ମହିଳା ବିଶେଷଜ୍ଞ ଡାକ୍ତର ନଥିବାରୁ ତୁରନ୍ତ ତାଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ପାଟଣାଗଡ଼ ଯିବା ବାଟରେ ଆମ୍ବୁଲାନ୍ସ ଭିତରେ ଦ୍ୱିତୀୟ ଶିଶୁର ଜନ୍ମ ହୋଇଥିଲା । ସେଠାରେ ମଧ୍ୟ ଉନ୍ନତ ଚିକିତ୍ସା ନାଁରେ ମାଆ ଓ ଶିଶୁଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । କିନ୍ତୁ ଅଧା ରାସ୍ତାରେ ଦ୍ୱିତୀୟ ନବଜାତର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ । ଏହା ସରକାରୀ ବ୍ୟବସ୍ଥାର ମୁହଁରେ ଏକ ଶକ୍ତ ଚାପୁଡା । ଯେଉଁ ରାଜ୍ୟରେ ମାତୃ ଓ ଶିଶୁ ସୁରକ୍ଷା ନେଇ କୋଟି କୋଟି ଟଙ୍କାର ଯୋଜନା ହେଉଛି । ସେଠାରେ ଆଜି ମଧ୍ୟ ଗୋଟିଏ ଗର୍ଭବତୀ ମହିଳାଙ୍କୁ ଡଲାରେ ବୁହାଯାଉଛି । ଏଥିରୁ ବଡ଼ ଲଜ୍ଜ୍ୟାର କଥା ଆଉ କଣ ହୋଇପାରେ ? ଚଚରାଭଟାରୁ କୁଶଳପଡା ପର୍ଯ୍ୟନ୍ତ ପ୍ରାୟ ୨ରୁ ୩ କିଲୋମିଟର ରାସ୍ତାଥିବା ବେଳେ ଜାନିପଡା ପରେ ପ୍ରାୟ ଗୋଟିଏ କିଲୋମିଟର ରାସ୍ତାନାହିଁ । ସେଠାରେ ୬ଟି ପରିବାରର ୨୩ରୁ ୨୫ ଜଣ ଲୋକ ବର୍ଷବର୍ଷ ଧରି ସରକାରୀ ଜମିରେ ବସବାସ କରୁଛନ୍ତି । କିନ୍ତୁ ରାସ୍ତାନାହିଁ, ପିଇବା ପାଣିନାହିଁ କି ବିଜୁଳି ମଧ୍ୟ ନାହିଁ । ପ୍ରଶ୍ନ ଉଠୁଛି ଏହି ଲୋକମାନେ କଣ ଏହି ଦେଶର ନାଗରିକ ନୁହଁନ୍ତି ? ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ରହିଗଲା କି ? ସବୁଠାରୁ ଚିନ୍ତାଜନକ କଥା ହେଉଛି, ରୋହିତ ଧରୁଆଙ୍କ କହିବା ଅନୁଯାୟୀ ସାତ ମାସ ଧରି ଗର୍ଭବତୀ ସୀମାଙ୍କ ପାଖକୁ କୌଣସି ଅଙ୍ଗନବାଡି କର୍ମୀ, ଆଶା କର୍ମୀ କିମ୍ବା ସ୍ୱାସ୍ଥ୍ୟକର୍ମୀ ପହଞ୍ଚିନଥିଲେ । “ରାସ୍ତା ନାହିଁ” ବୋଲି ଉତ୍ତର ଦେଇ ସେମାନେ ନିଜ ଦାୟିତ୍ୱରୁ ଖସି ପଳାଇଥିବା ଅଭିଯୋଗ ହୋଇଛି । ଯଦି ଜଣେ ଗର୍ଭବତୀ ମହିଳାଙ୍କ ପାଖକୁ ସ୍ୱାସ୍ଥ୍ୟସେବା ପହଞ୍ଚିପାରୁନି, ତା’ହେଲେ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା କାହା ପାଇଁ ? ଏହାଠାରୁ ବି ଦୁଃଖଦ କଥା ହେଉଛି, ଗର୍ଭବତୀ ଅବସ୍ଥାରେ ସୀମାଙ୍କୁ ଦାଦନ ଖଟାଇବା ପାଇଁ ବାହାର ରାଜ୍ୟକୁ ନେଇଯାଇଥିଲା ଜଣେ ଦାଦନ ସର୍ଦ୍ଦାର । ଜଣେ ଗର୍ଭବତୀ ମହିଳାଙ୍କୁ କେମିତି ଶ୍ରମିକ ଭାବେ ପଞ୍ଜିକୃତ କରାଗଲା ? କେଉଁ ଅଧିକାରୀ ଓ ଦାଦନ ସର୍ଦ୍ଦାରଙ୍କ ପାଇଁ ଏହା ସମ୍ଭବ ହେଲା ? ଏହାର ମଧ୍ୟ ନିଷ୍ପକ୍ଷ ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଏହି ଘଟଣା ପୁଣିଥରେ ପ୍ରମାଣ କରିଦେଇଛି ଯେ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ଦୟନୀୟ ଅବସ୍ଥାରେ ପହଞ୍ଚିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି, ଉପଖଣ୍ଡ ଡାକ୍ତରଖାନାରେ ଉନ୍ନତ ସେବା ନାହିଁ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦାୟିତ୍ୱହୀନତା ଚରମ ସୀମାରେ । ତେବେ ସାଧାରଣ ଗରିବ ଲୋକ ଯିବେ କେଉଁଠି କି? ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ପାଇଁ କେବଳ ଭାଗ୍ୟକୁ ଦୋଷ ଦେଇ ଚୁପ୍ ରହିହେବ ନାହିଁ । ଏହି ମୃତ୍ୟୁ ପଛରେ ରହିଛି ପ୍ରଶାସନର ଚରମ ଅବହେଳା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିଫଳତା ଓ ଜନପ୍ରତିନିଧିଙ୍କ ନିଷ୍କ୍ରିୟତା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ପୃକ୍ତ ଦାଦନ ସର୍ଦ୍ଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରିଛି ।

Leave A Reply

Your email address will not be published.