ଠିପି ବନ୍ଦ ମଦ ଦୋକାନରେ ଠିପି ଖୋଲା ବେପାର : ମିନି ବାର ସଜାଇ ଖୋଲାମେଲା ମଦ୍ୟପାନ ଅଭିଯୋଗ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କଲେଜ୍ ନିକଟରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନରେ ସରକାରୀ ନିୟମକୁ ଉଲ୍ଲଂଘନ କରି ଠିପି ଖୋଲା ବେପାର ଚାଲିଥିବା ନେଇ ଗୁରୁତର ଅଭିଯୋଗ ଉଠିଛି । ନିୟମ ଅନୁଯାୟୀ ଏହି ଦୋକାନରେ କେବଳ ମଦ ବିକ୍ରି କରିବାକୁ ଅନୁମତି ଥିଲେ ମଧ୍ୟ, ଦୋକାନ ସାମ୍ନାରେ ମିନି ବାର ସଜାଇ ଲୋକମାନେ ଖୋଲାମେଲା ଭାବେ ମଦ୍ୟପାନ କରୁଥିବା ଦେଖାଯାଉଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୋକାନ ସାମ୍ନାରେ ଖୋଲା ବୋତଲ ଓ ପଡ଼ିଥିବା ମଦର ଅବଶେଷ ଏହି ଅବୈଧ କାରବାରର ପ୍ରମାଣ ଦେଉଛି । କଲେଜ୍ ପାଖରେ ଏପରି କାର୍ଯ୍ୟକଳାପ ଚାଲିଥିବାରୁ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ପ୍ରିଣ୍ଟ ରେଟ୍‌ରୁ ଚଢ଼ାଦରରେ ମଦ ବିକ୍ରି ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଏହି ଘଟଣା ଉପରେ ଅବକାରୀ ବିଭାଗ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.