ହାଡଭଙ୍ଗା ଶୀତରେ ଥରୁଛି ବାଲିଗୁଡା ସହର : କୃଷି, ଶ୍ରମିକ, ବ୍ୟବସାୟିକ କାର୍ଯ୍ୟକ୍ଷେତ୍ର ହେଉଛି ବାଧାପ୍ରାପ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର ବାଲିଗୁଡା ଉପଖଣ୍ଡରେ ଦିନକୁ ଦିନ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି, କମିବାର ନାଁ ଧରୁନି, ଦିନ ହେଉ କି ରାତି ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ଦିନ ରାତି ପିଲାଠୁ ବୁଢା ଯାଏଁ ନିଆଁ ଲଗାଇ ପାଖରେ ବସି ରହୁଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ଧରି ପାରଦ ତଳମୁହାଁ ହୋଇଥିବା ବେଳେ ରାତିରେ ପ୍ରବଳ ମାତ୍ରାରେ ଥଣ୍ଡା ପଡୁଥିବା ଏବଂ ସକାଳ ସମୟରେ କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହୁଛି । ଏପରିକି ସକାଳ ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଥଣ୍ଡା ଲାଗି ରହୁଥିବାରୁ ସାଧାରଣ ଜନଜୀବନ ଉପରେ ପ୍ରଭାବ ପଡ଼ୁଛି । ଥଣ୍ଡା ପବନ ସହ ଶୀତର ପ୍ରକୋପ ଯୋଗୁଁ ଲୋକେ ଘରୁ ବାହାରିବାକୁ ଅସୁବିଧା ଅନୁଭବ କରୁଛନ୍ତି । ଶୀତ ବଢ଼ିବା ସହିତ ଗାଁ ଗଣ୍ଡା ଓ ସହର ଅଞ୍ଚଳରେ ସନ୍ଧ୍ୟା ହୋଇଗଲେ ଶୂନଶାନ ଦେଖାଯାଉଛି । ଏପଟେ ଶ୍ରମିକ, ଚାଷୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଶୀତ ପାଇଁ କାର୍ଯ୍ୟକ୍ଷେତ୍ରରେ ବାଧାପ୍ରାପ୍ତ ହେଉଥିବା ବେଳେ ଦିନ ତମାମ ବିଭିନ୍ନ ଶୀତ ବସ୍ତ୍ର ପରିଧାନ କରୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ଗ୍ରାମାଞ୍ଚଳ ହେଉ କି ସହର ଓ ବଜାର ର କେତେକ ସ୍ଥାନରେ ଲୋକେ ନିଆଁ ଲଗାଇ ଶୀତକୁ ମୁକାବିଲା କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ବୃଦ୍ଧ, ଶିଶୁ ଓ ରୋଗୀଣା ବ୍ୟକ୍ତିମାନେ ସର୍ଦି-ଖାସ, ଜ୍ୱର ରେ ପୀଡିତ ମଧ୍ୟ ହେଉଥିବା ଅନୁମାନ କରାଯାଉଛି । ସମଗ୍ର ବାଲିଗୁଡା ଟାଉନ ସମେତ ତୁମୁଡିବନ୍ଧ, କୋଟଗଡ, କ. ନୂଆଗାଁ, ଦାରିଙ୍ଗବାଡି, ରାଇକିଆ, ଘୁ.ଉଦୟଗିରି, ଟିକାବାଲି, ଚକାପାଦ ବ୍ଲକ ଅଞ୍ଚଳର ପ୍ରଭୃତି ଅଭ୍ୟାନ୍ତରଣ ଅଞ୍ଚଳରେ ଘନ କୁହୁଡି ସହ ପ୍ରବଳ ଶୀତ ଅନୁଭବ ହେଉଛି । କାଠ, କୋଇଲା, ପନିପରିବା, ଖଲିପତ୍ର ବିକ୍ରି କରି ଦୈନଦିନ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ କଥା କହିଲେ ନ ସରେ, ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ କମ୍ବଳ ବଣ୍ଟନ କରିବାକୁ ସାଧାରଣରେ ଦାବି ହେଉଛି । ଏହି ଘନ କୁହୁଡି ଓ ପ୍ରବଳ ଶୀତକୁ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ବାଲିଗୁଡାର ଝୁଲାପୋଲ, ତୁମୁଡ଼ିବନ୍ଧର ଜାଲେଶପଟ୍ଟା, ବେଲଘର କାଠବଙ୍ଗଳା, କୋଟଗଡର ଲୁଦୁ, ଦାରିଙ୍ଗବାଡ଼ିର କଫି ବଗିଚା, ପାଇନ ବଣ, ରାଇକିଆର ମଣ୍ଡାସୁର ଝରଣା, ଘୁ.ଉଦୟଗିରିର ମୁକୁଲୁଙ୍ଗିଆ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପର୍ଯ୍ୟଟକ ମାନେ ଏଠାକୁ ପିକ୍‌ନିକ୍‌ କରିବାକୁ ଆସୁଥିବାରୁ ପ୍ରବଳ ଭିଡ ଜମୁଛି । ପର୍ଯ୍ୟଟନ ବିଭାଗ ତରଫରୁ ସମସ୍ତ ପର୍ଯ୍ୟଟନସ୍ଥଳ ରହିବା ପାଇଁ ସୁବିଧା କିଛି କରାଯାଇନାହିଁ । ନିକଟସ୍ଥ ସହରରେ ଥିବା ଲଜ୍‌ ଓ ହୋଟେଲରେ ପର୍ଯ୍ୟଟକ ମାନେ ଅଧିକା ଖର୍ଚ୍ଚରେ ରହୁଛନ୍ତି । କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।

Leave A Reply

Your email address will not be published.