jayashree

ବନ୍ଧୁକ ମୁନରେ ଲୁଟ ଘଟଣା : ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ବିଜେଡିର ଦାବିପତ୍ର

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଗତ ୧୫ ଡିସେମ୍ବର ସନ୍ଧ୍ୟାରେ ଅନ୍ତର୍ଲା ଗ୍ରାମର କାହ୍ନୁ ବରିହା ଓ ପୋରାଗାଁର ଦେବେନ୍ଦ୍ର ସାହୁ ନାମକ ବ୍ୟକ୍ତି ଏକ ଆପାଚି ଗାଡିରେ ଆସି ବନ୍ଧୁକ ଦେଖାଇବା ସହ ମାଡମାରି ଟଙ୍କା ଆଦାୟ କରିଥିଲେ । ଏନେଇ ଜୁନାଗଡ଼ ଥାନାରେ ଅଭିଯୋଗ ହେବା ପରେ ଜୁନାଗଡ଼ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଦୁଇ ଅଭିଯୁକ୍ତକୁ ବେଆଇନ ବନ୍ଧୁକ ଓ ଗୁଳି ଯୋଗାଇଥିବା ଅଭିଯୋଗରେ ଗୋଲାମୁଣ୍ଡା ବ୍ଲକର ବସନ୍ତ ଚଲାନକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ଘଟଣାକୁ ନେଇ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ କରି ଏହା ଉପରେ ଅଧିକ ତଦନ୍ତ କରିବା ସହ ବେଆଇନ ବନ୍ଧୁକ କାରବାରରେ ଜଡ଼ିତ ଥିବା ରେକେଟକୁ ପର୍ଦ୍ଦାଫାଶ କରାଯିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଶାସକ ବିଜେପିର ବରିଷ୍ଠ ରାଜନେତା ମାନଙ୍କର ସହ ଚୋରା ବନ୍ଧୁକ ଯୋଗାଇଥିବା ଗୋଲାମୁଣ୍ଡା ବ୍ଲକର ବସନ୍ତ ଚଲାନର କ’ଣ ସମ୍ପର୍କ ରହିଛି ତାହା ମଧ୍ୟ ତଦନ୍ତ ହେଲେ ଜଣାପଡିବ ବୋଲି ବିଜେଡି କହିଛି । ସେହିଭଳି ବିଜେପି ରାଜନେତା ମାନଙ୍କ ପୃଷ୍ଠପୋଷକତାରେ ଏହି ସବୁ ଇଂଲଣ୍ଡ ମେଡ୍ ବନ୍ଧୁକ ବେଆଇନ ଭାବରେ କାରବାର ହେଉଛି ଓ ଆସାମୀ ମାନେ ଖୋଲାଖୋଲି ଅପରାଧ ଘଟାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏଣୁ ଶିଘ୍ର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଅତିରିକ୍ତ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ ସମୟରେ ମହିଳା ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ପୋରାଧ୍ୟକ୍ଷ ସଂଯୁକ୍ତା ବେହେରା, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ବିଜେଡି ନେତା ବଦ୍ରିନାରାୟଣ ପଟ୍ଟନାୟକ, ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ଯୁବନେତା ପିତବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.