ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡା ଉତ୍ସବ ସମ୍ପନ୍ନ : ଆନ୍ତର୍ଜାତୀୟ ପଦକ ବିଜେତା ବୃଦ୍ଧି କଲେ ସମ୍ମାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଶନିବାର ଦିନ ବାର୍ଷିକ କ୍ରୀଡା ସମାରୋହ ହର୍ଷୋଲ୍ଲାସରେ ଆୟୋଜିତ ହୋଇଯାଇଛି । ଏହି ଆୟୋଜନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା ଭାବନା ଏବଂ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟରେ କରାଯାଇଥିଲା । କ୍ରୀଡାର ପାରମ୍ପାରିକ ପରମ୍ପରାକୁ ଅକ୍ଷୁଣ୍ଣ ରଖି, ପ୍ରତିଯୋଗୀମାନଙ୍କ ଦ୍ୱାରା ମଶାଲ ପ୍ରବେଶ, ପରେଡ ପ୍ରଦର୍ଶନ ପରେ ଅନୁଷ୍ଠାନର ଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଡ଼ିଓ ଚନ୍ଦ୍ରମଣି ନାଗ, ସମ୍ମାନନୀୟ ଅତିଥିଗଣ, ଶିକ୍ଷାନୁଷ୍ଠାନର ସଂସ୍ଥାପକ ଲାୟନ ଦୀପକ୍ କୁମାର ସାହୁ, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ୱର ରାଓ, ମୁଖ୍ୟ ଉପଦେଷ୍ଟା ଡ଼ଃ. ରବୀନ ଚନ୍ଦ୍ର ପରମାଣିକ ଦୀପ ପ୍ରଜ୍ୱଳନ ଏବଂ କ୍ରୀଡା ଧ୍ୱଜା ଆରୋହଣ ପୂର୍ବକ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭିକ ସ୍ୱାଗତ ସଂଗୀତ ସହିତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ମୁଖ୍ୟ ଅତିଥି ଅଭିଭାଷଣରେ ଶିକ୍ଷା ସହିତ କ୍ରୀଡାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଦୁଇଜଣ ସାହସୀ ଅବସରପ୍ରାପ୍ତ ସୈନିକ ଉପସ୍ଥିତ ଥିଲେ-ଶ୍ରୀ ସଚିକାନ୍ତ ବେହେରା (ସେବାକାଳ: ୨୦୦୦-୨୦୧୭) ଯିଏ ଜମ୍ମୁ-କାଶ୍ମୀର, ଦ୍ରାସ, କାରଗିଲ ଆଦି ବିପଦପୂର୍ଣ୍ଣ ଅଞ୍ଚଳରେ ସେବା ଦେଇଥିଲେ ଏବଂ ଶ୍ରୀ ଚନ୍ଦ୍ରଶେଖର ସାହୁ (ସେବାକାଳ ୧୯୮୭-୨୦୧୩), ଯିଏ ୨୬ ବର୍ଷ ଧରି ଦେଶର ସେବା କରିଥିଲେ । ନର୍ସରୀ ଏବଂ ପ୍ରି-ନର୍ସରୀର ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ‘କ୍ୟାଟ ରେସ’ ଏବଂ ‘ଜୋକର ରେସ’ର ଆୟୋଜନ ବିଶେଷ ଆକର୍ଷଣର କେନ୍ଦ୍ର ଥିଲା । ଏହି ବାର୍ଷିକ କ୍ରୀଡା ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ସଟ୍ ଫୁଟ୍ ଥ୍ରୋ, ଲମ୍ବଡ଼ିଆଁ, ଜାଭେଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ, ଉଚ୍ଚ ଡ଼ିଆଁ, ଦୌଡ଼ି ଡିଆଁ (ସ୍କିପିଂ), ଗଣିତ ଦୌଡ (ମ୍ୟାଥ ରେସ) ଏବଂ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଏବଂ ୮୦୦ ମିଟର ଦୌଡ ପରି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶାରୀରିକ କ୍ଷମତା ଅନୁଯାୟୀ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯାଇଥିଲା । ବିଦ୍ୟାଳୟର ପ୍ରତିଭାର ଆନ୍ତର୍ଜାତୀୟ ପରିଚୟ, କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ରୀଡା ଗୌରବକୁ ବିଶେଷ ଭାବରେ ରେଖାଙ୍କିତ କରାଯାଇଥିଲା । ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଅମିୟ କୁମାର ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବିଶ୍ୱ ସନ୍ତରଣ ଚାମ୍ପିୟାନସିପ୍ (ଆଧୁନିକ ପେଣ୍ଟାଥଲନ ୨୦୨୫-୨୬)ରେ ୮ ଏବଂ ୧୦ ଡିସେମ୍ବର ୨୦୨୫ରେ ଆୟୋଜିତ ଉଭୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜୟ କରି ବିଦ୍ୟାଳୟ, ରାଜ୍ୟ ଏବଂ ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି । ତାଙ୍କର ଏହି ସାଧନା ସମାରୋହରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଥିଲା । ଏହି ଅବସରରେ ଅନୁଷ୍ଠାନର ସଂସ୍ଥାପକ ଲାୟନ୍ ଦୀପକ କୁମାର ସାହୁ, ପରିଚାଳନା ସମିତି ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି, ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ୱର ରାଓ ଏବଂ ମୁଖ୍ୟ ଉପଦେଷ୍ଟା ଡଃ ରବୀନ ଚନ୍ଦ୍ର ପରମାଣିକ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା ଭାବନା, ଅନୁଶାସନ ଏବଂ ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ଆୟୋଜନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେମାନେ କହିଥିଲେ । ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ସର୍ବଦା ଶିକ୍ଷାଗତ ଉତ୍କୃଷ୍ଟତା ସହିତ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ ରହିଛି । ଏହି କ୍ରୀଡା ସମାରୋହ ଆମର ଏହି ଦୃଷ୍ଟିକୋଣର ଏକ ଅଂଶ, ଯେଉଁଠି ପିଲାମାନେ ପ୍ରତିଦ୍ୱନ୍ଦ୍ୱିତା ମାଧ୍ୟମରେ ସେମାନଙ୍କର ପ୍ରତିଭାକୁ ଉନ୍ନତ କରନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଜୀବନମୂଲ୍ୟ ଶିଖନ୍ତି । ଏହି ଅବସରରେ ଅନୁଷ୍ଠାନର ସଂସ୍ଥାପକ, ସଭାପତି ଲାୟନ ଦୀପକ କୁମାର ସାହୁ, ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କ୍ରୀଡା ଦ୍ୱାରା ଶିଖାଯାଉଥିବା ଅନୁଶାସନ, ସହଯୋଗ ଏବଂ ସଂକଳ୍ପର ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଆୟୋଜନ କେବଳ କ୍ରୀଡା ପ୍ରତିଯୋଗିତା ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଏହାର ଲକ୍ଷ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଏବଂ ସେମାନଙ୍କ ଭିତରେ ଲୁକ୍କାୟିତ କ୍ରୀଡା ପ୍ରତିଭାକୁ ଚିହ୍ନଟ କରିବାର ସୁଯୋଗ ଦେବା । ଏହାପରେ କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଏବଂ ମେଡ଼ାଲ ପ୍ରଦାନ କରାଯାଇଥିଲା । ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି । ଅନୁଷ୍ଠାନ ଭବିଷ୍ୟତରେ ଏହିପରି ଅନ୍ୟାନ୍ୟ ବିସ୍ତୃତ କ୍ରୀଡା ଆୟୋଜନ କରିବାର ନିଜର ଯୋଜନା ପ୍ରକାଶ କରିଛି ।

Leave A Reply

Your email address will not be published.