-ମହିଳା କ୍ୱାର୍ଟରକୁ ଉନ୍ନୀତ ହେଲେ ଉନ୍ନତି ହୁଡ଼ା, ଅନମୋଲ ଖର୍ବ, ତନଭି ଶର୍ମା ଓ ଅନୁପମା ଉପାଧ୍ୟାୟ
-ପୁରୁଷ କ୍ୱାର୍ଟରରେ ଥରୁନ ମାନେପଲ୍ଲୀ,ସୁବ୍ରତ ସୁବ୍ରମଣିଅନ, କିରଣ ଜର୍ଜ, ଓ ସତୀଶ କୁମାର
ଭୁବନେଶ୍ୱର, (କେପିଏନ୍ଏସ୍) : କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମଠାରେ ଅନ୍ତର୍ଜାତୀୟ ବେଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ର ପ୍ରି-କ୍ଵାଟର ରାଉଣ୍ଡର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ଡ. ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ୩୯ ଟି ମେଚ ଅନୁଷ୍ଠିତ ହୋଇଯାଇଅଛି । ତୃତୀୟ ଦିନର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଖେଳାଳୀ, ଦର୍ଶକ ଓ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏ ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, କଟକ ସଦର ବିଧାୟକ ପ୍ରକାଶ ସେଠି, କ୍ରୀଡା ନିର୍ଦ୍ଦେଶକ
ଡ଼. ବିଜୟ ୟେଦୁଲ୍ଲା, କଟକ ଜିଲ୍ଲାପାଳ ଦତ୍ତକ୍ଷତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମର କମିଶନର କିରଣ ଦୀପ କୌର ସହଟା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ । ତୃତୀୟ ଦିନରେ ଖେଳାଯାଇଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗରେ ପ୍ରାୟତଃ ସିଡେଡ଼ ଖେଳାଳୀମାନେ ଉତ୍ତମ ଖେଳ ପ୍ରଦର୍ଶନ କ୍ୱାର୍ଟର ଫାଇନାଲ ରାଉଣ୍ଡକୁ ପହଂଚି ଯାଇଛନ୍ତି । ମହିଳା ବିଭାଗର ପ୍ରି କ୍ଵାଟର ରାଉଣ୍ଡରେ ଟପସିଡ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ଥାଇଲାଣ୍ଡ ଖେଳାଳୀ ତୀଦାପ୍ରନ କ୍ଳୀବାଇସୁନଙ୍କୁ ୨୧-୭, ୨୧-୧୪ ରେ ପରାଜିତ କରି କ୍ଵାଟର ଫାଇନାଲରେ ପହଂଚିଛନ୍ତି । ମହିଳା କ୍ୱାର୍ଟରରେ ପହଞ୍ଚିଥିବା ଅନ୍ୟ ଖେଳାଳୀ ମାନେ ହେଲେ ତୃତୀୟ ସିଡ ତନଭି ଶର୍ମା, ପଞ୍ଚମ ସିଡ ଅନୁପମା ଉପାଧ୍ୟାୟ ଓ ଷଷ୍ଠ ସିଡ ଅନମୋଲ ଖର୍ବ । ପୁରୁଷ ବିଭାଗ ସିଙ୍ଗଲରେ ମଧ୍ୟ ଟପ ସିଡ ଥରୁନ ମାନେପଲ୍ଲୀ ନିଜ ଦେଶ ଖେଳାଳୀ ଗୋବିନ୍ଦ କ୍ରିଷ୍ଣାଙ୍କୁ ୨୧-୧୬, ୧୨-୨୧ ଓ ୨୧-୧୧ ର ସଂଘର୍ଷ ପୂର୍ଣ୍ଣ ବିଜୟ ସହ କ୍ୱାର୍ଟରରେ ପହଂଚିଛନ୍ତି । କ୍ୱାର୍ଟର ଫାଇନାଲରେ ପହଂଚିଥିବା ଅନ୍ୟ ଖେଳାଳୀମାନେ ହେଲେ ଗତ ସିଜନର ସିଙ୍ଗଲ ଚାମ୍ପିୟନ ତଥା ଅଷ୍ଟମ ସିଡ ସତୀଶ କୁମାର, ଦ୍ଵିତୀୟ ସିଡ କିରଣ ଜର୍ଜ ଏବଂ ସପ୍ତମ ସିଡ ଶଙ୍କର ସୁବ୍ରମଣିଅନ । ମହିଳା ଡବଲସ ବିଭାଗରେ ଅନୁଷ୍ଠିତ ପ୍ରି-କ୍ୱାର୍ଟର ରାଉଣ୍ଡ ମେଚରେ ଟପ ସିଡ ବୁଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫକ୍ଷନୀ ଷ୍ଟୋଭା ଇଣ୍ଡୋନେସିଆ ଯୋଡି ଭେଲିଶା କ୍ରିଷ୍ଟିନା ଓ ଅଗ୍ନିଆ ଶ୍ରୀରହୟୁଙ୍କୁ ୨୧-୧୯, ୨୧-୧୩ ପଏଣ୍ଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି । ମହିଳା ଡବଲସର କ୍ଵାଟରରେ ପହଂଚିଥିବା ଅନ୍ୟ ଯୋଡିମାନେ ହେଲେ ଭାରତୀୟ ଯୋଡି ଅଶ୍ୱିନୀ ଭଟ୍ଟ ଓ ସାଥି ଶିଖା ଗୌତମ, ଷଷ୍ଠ ସିଡ କବିପ୍ରିୟା ସେଲବମ ଓ ସାଥି ସିମରନ ସିଂଘି ଏବଂ ଅଷ୍ଟମ ସିଡ ଇଣ୍ଡୋନେସିଆ ଯୋଡି ଶିତି ସରହ ଆଜହାର ଏବଂ ଦିତ୍ୟା ରାମଧାନୀ । ଭାରତୀୟ ବେଡ଼ମିଣ୍ଟନ ସଙ୍ଘ ଓଡିଶା ସରକାର ଏବଂ ଓଡିଶା ରାଜ୍ୟ ବେଡ଼ମିଣ୍ଟନ ସଙ୍ଘର ମିଳିତ ସହଯୋଗରେ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲର ସମସ୍ତ ମେଚ ୧୨ ତାରିଖ ଦିନ ଖେଳାହେବ ।