ଭୁବନେଶ୍ୱର : ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସେ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ଏହାସହ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, କିପରି ଗୋଟେ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଛି । ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ । ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା । ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା । ସେ ଅତି ସାହସିକତାର ସହ ତା’ ସହିତ ଘଟିଥିବା ଯୌନ ନିର୍ୟାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା । କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ଅଟକି ଯାଇ ନଥିଲା । ନ୍ୟାୟ ପାଇବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା । ଏପରିକି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା । ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା । ସେ ଆହୁରି କହିଛନ୍ତି ଯେ ଝିଅଟି କେବଳ ଶାରୀରିକ ଆଘାତ ପାଇ ପ୍ରାଣ ହରାଇ ନାହିଁ, ବରଂ ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ । ଯାହା ତାଙ୍କୁ ନିଜ ସଂଗ୍ରାମରେ ଏକାକି ଛାଡ଼ି ଦେଇଥିଲା । ପୁରା ଘଟଣାକ୍ରମରୁ ଜଣାପଡ଼ୁଛି, ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍ ନୁହେଁ; ଯାହା ଏକ ଯୋଜନାବଦ୍ଧ ଅନ୍ୟାୟ ।
