ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା-କଲ୍ୟାଣ ସିଂହପୁର କଞ୍ଜାମଯୋଡି ଗାଁରେ କଙ୍ଗାରୁ କୋର୍ଟ ଘଟଣା । ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୬ ଜଣିଆ ତଦନ୍ତକାରୀ ଦଳ । ସୂଚନାଯଗ୍ୟ ଯେ, ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା, ଗ୍ରାମଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅକୁ କାନ୍ଧରେ ଯୁଆଳି ପକାଇ ବିଲରେ ହଳ କରାଯାଇଥିଲା । ଉଭୟଙ୍କ ଭୁଲକୁ ସୁଧାରୀବାକୁ ହଳ କରାଯାଇ ଗାଁ କୁଟୁମ୍ବଙ୍କ ନିଷ୍ପତି ଅନୁସାରେ ଉଭୟଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ଗାଁରୁ କିଛି ଦିନ ପାଇଁ ତଡି ଦିଆଯାଇଥିଲା । ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିଏ ବଂଶର ଓ ସମ୍ପର୍କରେ ଏମାନେ ପିଉସୀ ଓ ପୁତୁରା ଅଟନ୍ତି । ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ ହୋଇପାରିବେ ନାହିଁ, କାରଣ ସେମାନେ ପିଉସୀ ଓ ପୁତୁରା ହୋଇଥାନ୍ତି । ଯାହାକି ଗୋଟିଏ ରକ୍ତର ସମ୍ପର୍କ । ତେଣୁ ବିବାହ ହୋଇ ପାରିବ ନାହିଁ । ସୂଚନାଯୋଗ୍ୟ ଯେ, କଞ୍ଜାମାଯୋଡ଼ି ଗାଁର ଲାକ ସାରକା ଓ କାଡ଼ିଆ ସାରକାଙ୍କ ପ୍ରେମ ସମ୍ପର୍କ ରହିଥିଲା । ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲୋକେ ଦେଖି ଥିଲେ । ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ଭୁଲର ପ୍ରାୟଶ୍ଚିତ ଶୁଣାଇଥିଲେ ଯାହା ଆଦିବାସୀ ପରମ୍ପରା ରହିଛି । ବର୍ତ୍ତମାନ ପ୍ରେମୀଯୁଗଳଙ୍କୁ ପଚାରିବାରୁ କାଡ଼ିଆ ଏବଂ ଲାକ କହିଛନ୍ତି ଯେ ଆମକୁ କୌଣସି ଦଣ୍ଡ ଦିଆଯାଇନି । ପୂର୍ବ ପୁରୁଷରୁ ଥିବା ପରମ୍ପରା ଅନୁସାରେ ଆମକୁ ଗାଁ ଝାଙ୍କିରି ନିକଟରେ ହଳ କରି ଆମ୍ବପାଣି ଗାଧେଇ କିଛିଦିନ ପାଇଁ ବାହାରେ ରହିବାକୁ କୁହାଯାଇଥିଲା । ଝାଙ୍କିରିରେ ହଳ ବୁଲେଇବା ଭଳି ଭିଡିଓକୁ ଭାଇରାଲ କରିବାରୁ ଗାଁ ଲୋକେ ନିନ୍ଦିତ ହେଉଛନ୍ତି ବୋଲି କହିଛନ୍ତି । ପ୍ରଶାସନ ତଦନ୍ତ ବେଳେ କନ୍ଧକୁଳ ସମାଜର ବ୍ଳକ ସଭାପତି ଜଗେନ୍ଦ୍ର ୱାଡାକା, ଉପସଭାପତି ଶଙ୍କର ହୁଇକାଙ୍କ ସମେତ ବ୍ଲକର ବିଭିନ୍ନ ଗାଁର ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ ।
