
ବାରିପଦା : ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଉକାଶୋଳ ଗାଁର ନାଗି ହାଁସଦା ଏବଂ ଗୁରୁତର ଶୁଖିଲାଖାଳି ଗାଁର ବଡା ମୁର୍ମୁ ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ ମୋରଡା ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ବୁଧୁବାର ଭୋର ୪ଟା ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଉକାଶୋଳ ଗାଁରେ ହାତୀ ପ୍ରବେଶ କରି ଘର ଭାଙ୍ଗି ଦେଇଥିଲେ । ଘର ଭିତରେ ଶୋଇଥିବା ଅବସ୍ଥାରେ ନାଗି ହାଁସଦାଙ୍କୁ ଘୋଷାଡି ଆଣି ଦଳି ଚକଟି ମାରି ଦେଇଥିଲେ । ଖବର ପାଇ ରାସଗୋବିନ୍ଦପୁର ବନବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ନାଗିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଇଛନ୍ତି । କେବଳ ସେତିକି ନୁହେଁ, ହାତୀ ଆକ୍ରମଣରେ ନିକଟସ୍ଥ ଶୁଖିଲାଖାଳି ଗାଁର ବଡା ମୁର୍ମୁ ମଧ୍ୟ ଗୁରୁତର ହୋଇଛନ୍ତି । ସେ ଘର ବାରଣ୍ଡାରେ ଶୋଇଥିବା ବେଳେ ୨୫ ଟିକିଆ ହାତୀ ପଲ ମଧ୍ୟରୁ ଦୁଇଟି ହାତୀ ବଡାଙ୍କୁ ଶୁଣ୍ଢରେ ଟାଣି ଆଣି କଚାଡି ଦେଇଥିଲେ । ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ପାଟି ଶୁଣି ଆସି ହାତୀ ପଲକୁ ଘଉଡାଇବା ପରେ ବଡାଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ମୋରଡା, ରାସଗୋବିନ୍ଦପୁର ବ୍ଲକରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଆକ୍ରମଣରେ ଜୀବନ ଯିବା ଘଟଣା ଏକ ସାଧାରଣ ଘଟଣା ପାଲଟିଛି । ତେବେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବାରୁ ଅଞ୍ଚଳବାସୀ ଅତିଷ୍ଠ ହେବାସହ ଚାଷ କରିବା ପାଇଁ ଚାଷୀ ଭୟ କରୁଛନ୍ତି ।