ଗାଈସିଲେଟରୁ ମୁର୍ମୁଷୁ ଅବସ୍ଥାରେ ମାନସିକ ମହିଳା ରୋଗୀଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼ (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଈସିଲେଟ ଥାନା ଅଞ୍ଚଲରୁ ମୁର୍ମୁଷୁ ଅବସ୍ଥାରେ ପଡିରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟମାନେ ଉଦ୍ଧାର କରି ସୁଧାର ଗୃହ, ସୁନ୍ଦରଗଡ଼ରେ ଥଇଥାନ ଅଭିମୁଖେ ନେଇଥିଲେ । ସୂଚନା ମୁତାବକ ଗାଇସିଲେଟ ଆମ୍ବେଦକର ଛକ ଏରିଆରେ ଗତ ଏକମାସରୁ ରହି ଆସୁଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗତ କିଛିଦିନ ହେଲା ଅସୁସ୍ଥ ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ଅରୁଣୀ ମହାପାତ୍ରଙ୍କ ସହାୟତରେ ଖାଇବା ପାଉଥିଲେ ମଧ୍ୟ କୌଣସି ମେଡ଼ିକାଲ ଚିକିତ୍ସା ନପାଇ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଥିଲା । ଏନେଇ ଅରୁଣୀ ମୋହାନନ୍ଦ ଗାଇସିଲେଟ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପରେ ବିଡ଼ିଓଙ୍କ ଜରିଆରେ ବରଗଡ଼ ଡିଏସ୍‌ଏସ୍‌ଓ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ମାତ୍ର ଉକ୍ତ କାର୍ଯ୍ୟାଳୟରୁ ତାଙ୍କୁ ମାନସିକ ରୋଗୀର ଏକ ସାର୍ଟିଫିକେଟ ତିଆରି କରିବାକୁ ପରାମର୍ଶ ଦେଇଥିଲେ । ମାନସିକ ରୋଗୀର ପରିଚୟ ପତ୍ର ପାଇଲା ପରେ ଏଭଳି ମହିଳାଙ୍କୁ ସେବା ଯୋଗାଇ ଦେଉଥିବା ଅନୁଷ୍ଠାନ ସହିତ ଯୋଗାଯୋଗ କରି ତାର ଉଚିତ୍‌ ବ୍ୟବସ୍ଥା କରିହେବ ବୋଲି ଡିଏସ୍‌ଏସ୍‌ଓ କହିଥିଲେ । ଏଭଳି ସମୟରେ ତାର ସୁରକ୍ଷା ଦୃଷ୍ଟିରୁ ଶ୍ରୀ ମୋହାନନ୍ଦ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସହିତ ଯୋଗାଯୋଗ କରିଥିଲେ ଓ ଆଜି ଶନିବାର ଦିନ ସଂକଳ୍ପ ପରିବାରର ସଦସ୍ୟମାନେ ଆସି ଗାଈସିଲେଟ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଗାଈସିଲେଟ ସିଏଚ୍‌ସିରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଉକ୍ତ ମହିଳାର ଚିକିତ୍ସା କରାଇ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲା ପରେ ତାକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସାହାଯ୍ୟରେ ସୁନ୍ଦରଗଡ଼ ସ୍ଥିତ ସୁଧାର ଗୃହରେ ଥଇଥାନ କରାଯିବ ବୋଲି ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ସୂଚନା ଦେଇଛନ୍ତି । ଆଜିର ଏ ମହତ କାମରେ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ଜି. ରମେଶ, ସନ୍ତୋଷ ଦନ୍ତାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅରୁଣୀ ମହାପାତ୍ର ସହଯୋଗର ହାତ ବଢାଇଥିଲେ । ସଂକଳ୍ପ ପରିବାରର ମହତ ପାଣିଆ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.