jayashree

ଡ. ସଦାନନ୍ଦ ଅଗ୍ରାୱାଲଙ୍କ ପଞ୍ଚମ ଶ୍ରାଦ୍ଧ ଦିବସରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି

  • ପୂର୍ଣ୍ଣଚନ୍ଦ୍ର ପଣ୍ଡା ସାମ୍ବାଦିକ

ଡ. ସଦାନନ୍ଦ ଅଗ୍ରୱାଲ ଥିଲେ ଓଡିଶାର ଜଣେ ଜଣାଶୁଣା ଐତିହାସିକ, ଗବେଷକ, ଲିପିତତ୍ୱବିଦ୍‌, ସାହିତ୍ୟିକ, ସାମ୍ବାଦିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ତେବେ ତାଙ୍କ ସହିତ ମିଶିବା ଭିତରେ ଜଣେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିନଥିବା ଦରପାଠୁଆ ମଣିଷ ଶେଷରେ କିଭଳି ନିଜ ଅଧ୍ୟବସାୟ ବଳରେ ବିଶ୍ୱବିଦ୍ୟାଳୟରେ ଲିପିତତ୍ୱ ବିଷୟ ଉପରେ ଶିକ୍ଷାଦାନ କରୁଥିଲେ ତାହା ମୁଁ ନିଜେ ଦେଖିଛି । ସୋନପୁର ଜିଲ୍ଲାର ମେଣ୍ଡା ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା ପରେ ମଧ୍ୟ ସେ ଆର୍ଥିକ ଅନାଟନ କାରଣରୁ କଲେଜରେ ପଢିବାର ସୁଯୋଗ ପାଇନଥିଲେ । କମ୍‌ ବୟସରେ ବାପାଙ୍କୁ ହରାଇ ପରିବାରର ବୋଝ ସମ୍ଭାଳିଥିଲେ । ତେବେ ତାଙ୍କ ପଢିବାର ନିଶା ଯାଇନଥିଲା । ତରଭାରେ ତାଙ୍କର ଜଣେ ସମ୍ପର୍କିୟଙ୍କ ସାଙ୍ଗରେ ବ୍ୟବସାୟ କଲାବେଳେ ସାମ୍ବାଦିକତା ଆଡକୁ ଢଳିଥିଲେ । ପ୍ରଥମେ ବଲାଙ୍ଗିରରୁ ପ୍ରକାଶିତ ଯୁଗବାର୍ତ୍ତାରୁ ସାମ୍ବାଦିକ ଜୀବନ ଆରମ୍ଭ କରି ପ୍ରଜାତନ୍ତ୍ର ଦୈନିକ ଖବରକାଗଜରେ ତରଭା ପ୍ରତିନିଧି ହୋଇଥିଲେ । ସେହି ସମୟରେ ଡ.ହରେକୃଷ୍ଣ ମହତାବ ଓ ପରେ ଓଡିଶାର ପ୍ରଖ୍ୟାତ ଐତିହାସିକ ଡ.ନବୀନକୁମାର ସାହୁଙ୍କ ସହିତ ଘନିଷ୍ଠତା ବଢିଥିଲା । ସେଇଠୁ ଆରମ୍ଭ ହୁଏ ତାଙ୍କ ଐତିହାସିକ ଜୟଯାତ୍ରା । ଉଭୟଙ୍କଠାରୁ ପ୍ରେରଣା ପାଇ ଐତିହାସିକ ଗବେଷଣା ଆରମ୍ଭ କରିଥିଲେ । ସୋନପୁର ଇତିହାସ, ଖାରବେଳ(ଓଡିଆ, ହିନ୍ଦି, ଇଂରାଜୀ), ଓରିଶାନ ପେଲେଓଗ୍ରାଫି, ଦକ୍ଷୀଣକୋସଳ ଓ ଅନ୍ୟାନ୍ୟ ପ୍ରବନ୍ଧ’, ସୌରାପେଣ୍ଟିଂ ଅଫ୍‌ ଓରିଶା, ଟୁ କପର ପ୍ଲେଟ ଗ୍ରାଣ୍ଟସ ଫ୍ରମ ଓ୍ବେଷ୍ଟର୍ଣ୍ଣ ଓରିଶା, କୋସଲି ନାଟକ ରକତ ଇତ୍ୟାଦି ପୁସ୍ତକ ରଚନା କରିଥିଲେ । ଏହା ସହିତ ତାଙ୍କର ଅନେକ ଉପାଦେୟ ସନ୍ଦର୍ଭ ଓ ସ୍ତମ୍ବଗୁଡିକ ମଧ୍ୟ ବିଭିନ୍ନ ଜର୍ଣ୍ଣାଲ ତଥା ଖବରକାଗଜରେ ପ୍ରକାଶିତ ହେଉଥିଲା । ଶେଷରେ ତାଙ୍କ କୃତିକୁ ସମ୍ମାନ ଜଣାଇ ରାଷ୍ଟ୍ରୀୟ ସଂସ୍କୃତ ପ୍ରତିଷ୍ଠାନ ତିରୁପତି ବିଶ୍ୱ ବିଦ୍ୟାଳୟରୁ ତାଙ୍କୁ ସମ୍ମାନଜନକ ଡି.ଲିଟ ପ୍ରଦାନ କରାଯାଇଥିଲା । ସେ ଲିପିତତ୍ୱ ଉପରେ ଯଥେଷ୍ଟ ଗବେଷଣା କରି ପୁରାତନ ଲିପି, ଶିଳାଲିପି, ତାମ୍ରଫଳକ ଇତ୍ୟାଦିକୁ ପାଠୋଦ୍ଧାର କରୁଥିଲେ । ଦେଶର ଅନେକ ମ୍ୟୁଜିୟମରୁ ସେଥିପାଇଁ ତାଙ୍କୁ ଡାକରା ଆସୁଥିଲା । ଲିପିର କ୍ରମବିକାଶ ଉପରେ ତାଙ୍କର ଅନେକ ସନ୍ଦର୍ଭ ପ୍ରକାଶିତ ହୋଇଛି । ବ୍ରାହ୍ମି, ପାଲି ଓ ଅନ୍ୟାନ୍ୟ ପୁରାତନ ଭାଷା ଉପରେ ତାଙ୍କର ଖୁବ ଦଖଲ ଥିଲା । ଲିପିତତ୍ୱ ଉପରେ ଶିକ୍ଷାଦାନ ପାଇଁ ଜଣେ ଭିଜିଟିଙ୍ଗ ପ୍ରଫେସର ଭାବରେ ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱ ବିଦ୍ୟାଳୟ ତରଫରୁ ତାଙ୍କୁ ଅନେକଥର ନିମନ୍ତ୍ରଣ କରାଯାଇଥିଲା । ୨୦୧୩ ମସିହାରେ ତାଙ୍କର ଜଣେ ସହଯୋଗୀ ଭାବରେ ଶାନ୍ତିନିକେତନକୁ ଯିବାର ସୁଯୋଗ ମିଳିଥିଲା । ସେଠାରେ ଓଡିଆ ବିଭାଗ ତରଫରୁ କରାଯାଇଥିବା ୱାର୍କସପ୍‌ରେ ସେ ଜଣେ ଦକ୍ଷ ଲିପିତତ୍ୱବିଦ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । ଜଣେ ମାଟ୍ରିକପଢା ଲୋକ ଭାରତ ବର୍ଷର ଏକ ବିଖ୍ୟାତ ବିଶ୍ୱବିଦ୍ୟାଳୟରେ ଲିପିତତ୍ୱ ଉପରେ ଯେଭଳି କଳାପଟାରେ ଚକ ଖଡିରେ ଲେଖିଲେଖି ପଢାଉଥିଲେ ତାହା ମୋତେ ଅଭିଭୂତ କରିଥିଲା । ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଲିପି ଉପରେ ଜାଣିବାର ଆଗ୍ରହ ମୋତେ ଖୁବଆଶ୍ଚର୍ଯ୍ୟ କରିଥିଲା । ଅଧ୍ୟବସାୟ ହିଁ ମଣିଷକୁ ସଫଳ କରିଥାଏ ତାହା ତାଙ୍କଠୁ ଶିଖିବାକୁ ମିଳିଥିଲା । ଆଜି ସେହି ପୂଣ୍ୟାତ୍ମାଙ୍କ ୫ମ ଶ୍ରାଦ୍ଧଦିବସ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

Leave A Reply

Your email address will not be published.