ରାଉରେକଲା, (ସସ୍ମିତା ପ୍ରଧାନ) : ୟୁଥ୍ ମୁଭ୍ମେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ଅମୃତ ମେହୋତ୍ସବ ପାଳନ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ଅନ୍ତନିର୍ହିତ କଳା ପ୍ରତିଭାର ପରିଚୟ ଦେଇଥିଲେ । ଜ୍ଞାନଜ୍ୟୋତିି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମରୁ ତୃତୀୟ ଶ୍ରେଣୀଙ୍କ ପାଇଁ ଜାତୀୟ ପତାକା ଓ ଚତୁର୍ଥରୁ ଷଷ୍ଠ ଶ୍ରେଣୀ ବର୍ଗଙ୍କ ପାଇଁ ସ୍ୱାଧୀନତା ଦିବସ ପାଳନ ବିଷୟ ରଖାଯାଇଥିଲା । ସେହିପରି ସପ୍ତମରୁ ନବମ ଶ୍ରେଣୀ ବର୍ଗଙ୍କ ପାଇଁ ସ୍ୱାଧୀନତାର ୭୫ ବର୍ଷର ସ୍ଥିତି ରଖାଯାଇଥିବା ବେଳେ ଦଶମରୁ ଦ୍ୱାଦଶ ଶ୍ରେଣୀ ବର୍ଗଙ୍କ ପାଇଁ ସ୍ୱାଧୀନତା ପୂର୍ବ ସମୟର ଚିତ୍ର ଅଙ୍କନ ବିଷୟ ରଖାଯାଇଥିଲା । ସୁପରିଚିତ ଚିତ୍ର ଶିଳ୍ପୀ ଦେବେନ୍ଦ୍ର ମହାରଣା, ରଶ୍ମିରେଖା ଧଳ ଓ ସୁନିତା ମାହାତୋ ବିଚାରକ ଭାବେ ଯୋଗ ଦେଇ ଚିତ୍ରାଙ୍କନ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ୱାଇଏମଏଫଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଶର୍ମିଳା ରାଜଗୁରୁ, ଅନିତା ମହାନ୍ତି, ନିତାଞ୍ଜଳି ପରିଡା, ନନ୍ଦିନୀ ମିଶ୍ର, ମୋନାଲିସା ଗୌଡ, ତ୍ରିଷ୍ଣା ବଂଶଲ, ଶର୍ମିଷ୍ଠା ମହାପାତ୍ର, ସବିତା ରାଣୀ ପାଣିଗ୍ରାହୀ, ସସ୍ମିତା ରାଉତ, ମୀରା ଦାସଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
