- ଦେବାଶିଷ ପଟ୍ଟନାୟକ
ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ “ନବାନ୍ନ ପର୍ବ” ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆଁ ଶସ୍ୟ ପୂଜାର ପରମ୍ପରା ଚାଲି ଆସୁଥିବା ବେଳେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହି କୃଷିଭିତ୍ତିକ ପର୍ବ “ନୂଆଁଖାଇ” ନାମରେ ପରିଚିତ ଓ ଏହା ପାଳିତ ହୋଇ ଆସୁଅଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଏହି ପର୍ବକୁ ପାଳନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରାଯାଇଥାଏ, ଯାହାକୁ “ଲଗ୍ନ” କୁହାଯାଏ । ଜନଶୃତି ଅନୁସାରେ ଦ୍ୱାଦଶ ଶତାବ୍ଦୀରେ ପାଟନା ରାଜ୍ୟ ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାର ଚୌହାନ ବଂଶର ରାଜା ରମାଇଁ ଦେଓଙ୍କ ସମୟରୁ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶା ମୁଖ୍ୟତଃ ଏକ ଶକ୍ତିପୀଠ ହୋଇଥିବାରୁ ନୂଆଁ ଅନ୍ନ ପ୍ରଥମେ ସମ୍ବଲପୁରର ମା’ ସମଲେଶ୍ଵରୀ, ସୋନପୁରର ମା’ ସୁରେଶ୍ଵରୀ, ବଲାଙ୍ଗିରର ମା’ ପାଟଣେଶ୍ୱରୀ, କଳାହାଣ୍ଡିର ମା’ ମାଣିକେଶ୍ଵରୀ ଓ ଅନ୍ୟାନ୍ୟ ଗ୍ରାମ ଗୁଡ଼ିକର ଆରାଧ୍ୟ ଦେବୀ ଦେବତାଙ୍କ ଠାରେ ଅର୍ପଣ କରାଯାଇଥାଏ । ଏହି ସମସ୍ତ ଶକ୍ତିପୀଠ ଗୁଡ଼ିକରେ ନୂଆଁ ଅନ୍ନ ଲାଗି ହେବା ପରେ ଘରର ସମସ୍ତ ଦେବଦେବୀଙ୍କୁ ନବାନ୍ନ ଲାଗି ହୁଏ । ଏହାପରେ ଘରର ସଦସ୍ୟମାନେ ଏକାଠି ବସି “ନୂଆଁଅନ୍ନ” ଖାଆନ୍ତି ଓ ଖାଇସାରିବା ପରେ ନିଜ ଦେବାଦେବୀଙ୍କୁ ଦର୍ଶନ କରି ବଡ଼ ଲୋକଙ୍କୁ ସମସ୍ତେ ମୁଣ୍ଡିଆ ମାରନ୍ତି ଅବା ପାଦ ଛୁଇଁ ଜୁହାର ହୁଅନ୍ତି । ସଂଧ୍ୟାରେ ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହିତ ଜୁହାର ଭେଟର ଆସର ହୋଇଥାଏ । ଏହା ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ “ନୂଆଁଖାଇ ଭେଟଘାଟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ସମାଜର ସମସ୍ତ ବର୍ଗର ଲୋକେ ସାମିଲ ହୋଇଥାନ୍ତି । ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତିର ବାର୍ତ୍ତା ଦେଇଥାଏ ।