ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ଆଜିଠାରୁ ଶିଶୁ ମାନଙ୍କ ପାଇଁ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ(ପିସିଭି) ସାମିଲ ହୋଇଛି । ରାଜ୍ୟସ୍ଥରୀୟ ଶୁଭ ଉଦଘାଟନ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ର ଠାରେ ଆଜି ଦିନ ୧୨:୪୦ ମିନିଟ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ପିସିଭି ଟୀକାକରଣର ଶୁଭାରମ୍ଭ ହୋଇଥିଲା ସମସ୍ତ କାର୍ଯ୍ରକ୍ରମ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ନବକିଶୋର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ଉଦଘାଟନୀ ଉତ୍ସବରେ ଡାକ୍ତର ପ୍ରମୋଦ ଚନ୍ଦ୍ର ବିଶ୍ୱାଳ (ଏଡିପିଏଚଓ ଲେପ୍ରୋସି), ଡାକ୍ତର ପଦ୍ମହାଂସା ଡୋର (ଏଡିପିଏଚ ଓ ଟିବି), ଡାକ୍ତର ଦିଲ୍ଲୀପ କୁମାର ଭୋଇ (ଶିଶୁ ରୋଗ ବିଶେଷଣଜ୍ଞ) ଏବଂ ଡାକ୍ତର ପ୍ରକାଶ ଦଣ୍ଡସେନା (ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ) ଉପସ୍ଥିତ ଥିଲେ ।
ମହିଳା ସ୍ୱାସ୍ଥ୍ୟ କର୍ମୀ ଆଲାଦିନି ଦେହୁରୀ, ଲକ୍ଷ୍ମୀ ସାହୁ , ଗୀତା କର୍ମୀ ଟୀକାକରଣ ଦାୟିତ୍ୱ ତୁଲେଇଥିଲେ । ସର୍ବଶ୍ରୀ ସୁଧାଂଶୁ କୁମାର ନାୟକ (ଡିଏମଆରସିଏଚ), ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ସାହୁ, ସଞ୍ଜୟ କୁମାର ପଣ୍ଡା, ସରୋଜ ପଣ୍ଡା, ହିତେଶ ତ୍ରିପାଠୀ, ପ୍ରମୋଦ ସାହୁ, ଯୋଗସ୍ମିତା ଜେନା, କ୍ଷୀରୋଦ ବିହାରୀ ବିଶ୍ୱାଳ ଓ ଅକୃର କୁମାର ହୋତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶ ଥାଉ କି ଶିଶୁ ମାନଙ୍କ ଟୀକାକରଣ ସୂଚୀରେ ଆଗରୁ ଏଗାର ଗୋଟି ଟୀକା ଥିବା ବେଳେ ଏବେ ପିସିଭି ସାମିଲ ହେବା ଫଳରେ ଏହା ଏବେ ଶିଶୁ ମାନଙ୍କୁ ବାର ଗୋଟି ରୋଗରୁ ସୁରକ୍ଷା ଦେବ । ଶିଶୁ ମାନଙ୍କୁ ପିସିଭି ଭ୍ୟାକସିନର ପ୍ରଥମ ମାତ୍ରା ଦେଢ଼ ମାସରେ, ଦ୍ଵିତୀୟ ମାତ୍ରା ସାଢେ ତିନିମାସରେ ଓ ବୁଷ୍ଟର ମାତ୍ରା ନଅରୁ ବାର ମାସ ମଧ୍ୟରେ ଦିଆଯିବ । ଯାହାକି ଶିଶୁକୁ ନିମୋକୋକାଲ ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ରକ୍ଷା କରିବ । ତେବେ ଜିଲ୍ଲାର ମୁଖ୍ୟାଳୟ ତଥା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏହି ଟୀକାର ଆଜି ଶୁଭାରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟ ଠାରେ ହୋଇଥିବା ପିସିଭି ଟୀକାକରଣରେ ଆଜି ୬ଟି ଶିଶୁ ପିସିଭିର ପ୍ରଥମ ମାତ୍ରା ନେଇଛନ୍ତି । ଏହି ଅବସରରେ ପିପିସି ସୋନପୁର ସ୍ଥିତ ଟୀକାକରଣ କେନ୍ଦ୍ରରେ ବ୍ୟାପକ ଜନ ସଚେତନତା ପାଇଁ ଏକ କୋନପି/ଆଇଇସି କର୍ଣ୍ଣରର ଅନାବରଣ କରାଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁବର୍ଣ୍ଣପୁରଙ୍କ ଦ୍ୱାରା ଜନସାଧରଣଙ୍କୁ ଅନୁରୋଧ କରାଯାଇଛି କି ସମସ୍ତେ ନିଜ ନିଜର ଯୋଗ୍ୟ ବିବେଚିତ ଶିଶୁ ମାନଙ୍କୁ ନିର୍ଧାରିତ ସମୟ ସୀମା ଭିତରେ ପିସିଭିର ସମସ୍ତ ମାତ୍ରା ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ନେଇ ଦିଅନ୍ତୁ । ଏଥି ସକାଶେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ କିମ୍ବା ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ ।
Prev Post