ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ ଠାରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ନିମୋକୋକାଲ୍ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି)ର ଶୁଭାରମ୍ଭ ହୋଇଯାଇଛି । ଏହି ଭ୍ୟାକ୍ସିନ ନିମୋକୋକାଲ ନିମୋନିଆ ଜୀବାଣୁ ଜନୀତ ସଂକ୍ରମଣ ତଥା ମସ୍ତିକ ସଂକ୍ରମଣରୁ ଶିଶୁଙ୍କୁ ସୁରକ୍ଷା ଯୋଗାଏ । ସଂକ୍ରମଣରୁ ସୁରକ୍ଷା ପାଇଁ ଶିଶୁଙ୍କୁ ଭ୍ୟାକ୍ସିନର ପ୍ରଥମ ଟୀକା ଦେଢ ମାସରେ, ଦ୍ୱିତୀୟ ଟୀକା ସାଢେ ତିନି ମାସରେ ଓ ବୁଷ୍ଟର ଟୀକା ନବମ ମାସରେ ଦେବା ନେଇ ପ୍ରାବଧାନ ରହିଛି । ଏହି ଟୀକାକୁ ନିୟମିତ ଟୀକାକରଣ ପ୍ରକ୍ରିୟାରେ ସାମିଲ କରାଯାଇ ଜିଲ୍ଲାର ସମସ୍ତ ଟୀକା କେନ୍ଦ୍ରରେ ଜିଲ୍ଲାର ପ୍ରତ୍ୟେକ ଶିଶୁଙ୍କୁ ଏହି ଟୀକା ପ୍ରଦାନ କରାଯିବା ନେଇ ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଏହି ଟୀକାର ଶୁଭ ଉଦଘାଟନ କରିଛନ୍ତି । ଟୀକାକରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଶିଶୁଙ୍କୁ ଏହି ଟୀକା ପ୍ରଦାନ କରାଯିବା ସହିତ ସାରା ଜିଲ୍ଲାର ଶିଶୁ କିପରି ଏହି ଟୀକା ସହଜ ଓ ବିନା ମୂଲ୍ୟରେ ପାଇପାରିବେ ସେ ନେଇ ଜିଲ୍ଲାପାଳ ସ୍ୱାସ୍ଥ ବିଭାଗ କର୍ମଚାରୀଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ କହିଥିଲେ । ବଲାଙ୍ଗିର ସିଡିଏମଓ ଡା. ଭୀମ ସାହୁ ରୋଗ ଓ ଟୀକାକରଣ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ । ଟୀକାର ଶୁଭାରମ୍ଭ ସମୟରେ, ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ସଂଗୀତା ସିଂଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଦ୍ଧ୍ୟକ୍ଷା ଭାରତୀ ମହାନନ୍ଦ ଭର୍ଚୁଏଲ ମୋଡରେ ଉପସ୍ଥିତ ରହି ବଲାଙ୍ଗିରବାସୀଙ୍କ ପାଇଁ ଟୀକାକରଣର ସୁବନ୍ଦୋବସ୍ତ କରିବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ମୁଣ୍ଡ, ଡା ସୁଧା ବାର୍ଲା, ଡା. ତୁଷାରକାନ୍ତ ଠାକୁର ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ ।