
ବଲାଙ୍ଗିର, (କେପିଏନ୍ଏସ୍) : ଛାତ୍ରଛାତ୍ରୀଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ କୁଇଜ୍ ପ୍ରତିଯୋଗିତା ୨୦୨୬ ବଲାଙ୍ଗିରସ୍ଥିତ ଆର୍.ଜି. ହିନ୍ଦୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ଛାତ୍ରଛାତ୍ରୀମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରି ନିଜର ଜ୍ଞାନ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ । ଇତିହାସ, ଭୂଗୋଳ, ବିଜ୍ଞାନ, ଗଣିତ, ସାଧାରଣ ଜ୍ଞାନ, ସାମ୍ପ୍ରତିକ ଘଟଣାବଳୀ ଓ ଓଡ଼ିଶାର କଳା-ସଂସ୍କୃତି ଆଦି ବିଷୟକୁ ନେଇ ପ୍ରଶ୍ନୋତ୍ତର ପର୍ଯ୍ୟାୟ ଆୟୋଜିତ ହୋଇଥିଲା । ପ୍ରତିଯୋଗୀମାନେ ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ଏକ ଜ୍ଞାନପୂର୍ଣ୍ଣ ଓ ଉତ୍ସାହଜନକ ପରିବେଶ ସୃଷ୍ଟି କରିଥିଲା । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ସଭାପତିତ୍ୱ କରିଥିବାବେଳେ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରବୀର କୁମାର ପଣ୍ଡା, ଶ୍ରୀମତୀ ରୀନା କୁମାରୀ ବେହେରା ଓ ଶ୍ରୀମତୀ ସେବାଶ୍ରୀ ଭୋଇ ଯୋଗଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କୁଇଜ୍ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସର ବୃଦ୍ଧି, ତାର୍କିକ ଚିନ୍ତନ, ଦ୍ରୁତ ନିଷ୍ପତ୍ତି ଗ୍ରହଣ ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ । ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ବିଭିନ୍ନ ଜ୍ଞାନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସମୃଦ୍ଧ ହେବା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କନିଷ୍ଠ ଓ ବରିଷ୍ଠ ଉଭୟ ବର୍ଗର ବିଜୟୀ ପ୍ରତିଯୋଗୀ ଓ ଦଳମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି, ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆହୁରି ଉଚ୍ଚ ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ ।