jayashree

ଘୁ. ଉଦୟଗିରିରେ ବଡ଼ଧରଣର ଚୋରି, ୩ ଲକ୍ଷ ଟଙ୍କା ସହ ସୁନା ମୁଦି ଓ ପାଉଁଜି ଲୁଟ୍

କନ୍ଧମାଳ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହରରେ ପୁଣି ଚୋରଙ୍କ ଆତଙ୍କ । ଏକ ବ୍ୟବସାୟୀଙ୍କ ଘରୁ ତାଲା ଭାଙ୍ଗି ନଗଦ ୩ ଲକ୍ଷ ଟଙ୍କା ସହ ସୁନା ମୁଦି ଓ ରୂପା ପାଉଁଜି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏମ୍‌ଏମ୍‌ସି ରୋଡ୍‌ ନାଏରା ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ବ୍ୟବସାୟୀ ନାରାୟଣ ସାହୁଙ୍କ ଘରେ ଏହି ଚୋରି ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର ନାରାୟଣ ସାହୁ ପରିବାର ସହ ବ୍ରହ୍ମପୁର ଯାଇଥିବାରୁ ଘରେ ତାଲା ପଡ଼ିଥିଲା । ଏହାର ସୁଯୋଗ ନେଇ ଚୋରମାନେ ଘରର ଗ୍ରିଲ୍‌ କବାଟର ତାଲା ଲଗାଇବା ଲୁହା ବଳା ଭାଙ୍ଗି ଭିତରେ ପଶିଥିଲେ । ଏପରିକି ଉପର ମହଲାର କବାଟ ତାଲା ମଧ୍ୟ ଭାଙ୍ଗି ଘରର ସମସ୍ତ ଆସବାବପତ୍ର ଓ ଲୁଗାପଟା ଏଣେତେଣେ ଫିଙ୍ଗି ଆଲମିରା ଖୋଲି ଖୋଜାଖୋଜି କରିଥିଲେ । ରାତି ପ୍ରାୟ ୨ଟାରେ ନାରାୟଣ ଘରକୁ ଫେରିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଆଲମିରାରେ ଥିବା ଏକ ବ୍ୟାଗରୁ ୩ ଲକ୍ଷ ଟଙ୍କା ଏବଂ ଅନ୍ୟ ଏକ ସ୍ଥାନରୁ ସୁନା ମୁଦି ଓ ହଳେ ରୂପା ପାଉଁଜି ଚୋରି ହୋଇଥିବା ଜଣାପଡ଼ିଥିଲା । ଏନେଇ ନାରାୟଣ ସାହୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନମ୍ବର ୧୮୩/୨୬ରେ ମାମଲା ରୁଜୁ କରିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ସନ୍ଧାନୀ କୁକୁରର ସହାୟତା ନେଇଛି । ନିଜେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ବ୍ୟବସାୟୀଙ୍କ ଘରୁ ଏଭଳି ଚୋରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି ।

Leave A Reply

Your email address will not be published.