
କେନ୍ଦୁଝର/ମୟୂରଭଞ୍ଜ : କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିକାଶକୁ ମିଳିବ ନୂଆ ଗତି । ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଉପରେ ରାଜ୍ୟ ସରକାର ଦେଇଛନ୍ତି ଗୁରୁତ୍ୱ । କେନ୍ଦୁଝର ଗସ୍ତର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ସହ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ମାସରେ ଉଦ୍ଘାଟିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ସରକାରଙ୍କ ପ୍ରାଥମିକତା । ରାଜ୍ୟର ୧୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବଜେଟ୍ରେ ପ୍ରାୟ ୧୪ ହଜାର ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କହିଛନ୍ତି ସେ । ଅନ୍ୟପଟେ କେନ୍ଦୁଝର ଓ ମୟୂରଭଞ୍ଜ କ୍ଲଷ୍ଟରରେ ୧୨୦ କୋଟି ଟଙ୍କା ବ୍ୟୟରେ ତିନୋଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ରାଇକଳା, ସତୀକୁଦର ଓ ଜାରକାଣିରେ ହେବାକୁ ଥିବା ଏହି ପ୍ରକଳ୍ପ ୨୦୨୮ ସୁଦ୍ଧା ଶେଷ ହେବ । ଏହାଦ୍ୱାରା ଉଭୟ ଜିଲ୍ଲାର ୪ ହଜାର ୨୮୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ସେହିପରି ଝୁମ୍ପୁରାରେ ୧୭ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ରାଇକଳାଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ଶାଖାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ରାଇକଳାଠାରେ ୨୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ୩୦ କୋଟି ଟଙ୍କା ବ୍ୟୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।