jayashree

ବିପିୟୁଟି ହ୍ୟାକାଥନ୍‌-୨୦୨୬ର ଗ୍ରାଣ୍ଡ ଫିନାଲେ ନଭେମ୍ବର ୧୨ରୁ, ଭାଗ ନେବେ ୫୦ଟି ଶ୍ରେଷ୍ଠ ଟିମ୍

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଷୟିକ ଜ୍ଞାନ ଓ ନୂତନ ଉଦ୍ଭାବନର ମହାକୁମ୍ଭ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ତୃତୀୟ ସଂସ୍କରଣର ବିପିୟୁଟି ହ୍ୟାକାଥନ୍‌-୨୦୨୬ । ଆସନ୍ତା ନଭେମ୍ବର ୧୨ ଓ ୧୩ ତାରିଖରେ ବିଶ୍ୱବିଦ୍ୟାଳୟର ଛେଣ୍ଡସ୍ଥିତ ମୁଖ୍ୟ କ୍ୟାମ୍ପସରେ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ରାଜ୍ୟର ୭୧ଟି ଅନୁବନ୍ଧିତ କଲେଜରୁ ୩ ହଜାର ୮୫୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୭୧୮ଟି ଟିମ୍ ପଞ୍ଜୀକରଣ କରିଥିଲେ । ପୂର୍ବ ସଂସ୍କରଣ ତୁଳନାରେ ଏଥର ଅଂଶଗ୍ରହଣ ୪୦ ପ୍ରତିଶତ ବୃଦ୍ଧି ପାଇଛି । ବିଭିନ୍ନ ପର୍ଯ୍ୟାୟର ଯାଞ୍ଚ ଓ ଆଞ୍ଚଳିକ ମୂଲ୍ୟାଙ୍କନ ପରେ ୨୨ଟି କଲେଜର ୨୬୦ ଜଣ ପ୍ରତିଯୋଗୀଙ୍କୁ ନେଇ ଗଠିତ ୫୦ଟି ଶ୍ରେଷ୍ଠ ଦଳ ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହୋଇଛନ୍ତି । ୩୬ ଘଣ୍ଟିଆ ଏହି ମାରାଥନ୍ ହ୍ୟାକାଥନ୍‌ରେ ଶିଳ୍ପସଂସ୍ଥାଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୧୦ଟି ବାସ୍ତବ ସମସ୍ୟାର ବୈଷୟିକ ସମାଧାନ ଖୋଜିବେ ଛାତ୍ରଛାତ୍ରୀ । ଆର୍ଡୁଇନୋ, କଗ୍ନିଜାଣ୍ଟ, ଓକେସିଏଲ୍‌ ସମେତ ୭ଟି ପ୍ରମୁଖ ସଂସ୍ଥା ଏହି କାର୍ଯ୍ୟକ୍ରମର ସହଯୋଗୀ ରହିଛନ୍ତି । ପ୍ରତିଯୋଗିତାରେ ୫୦ଟି ଦଳ ମଧ୍ୟରୁ ୩୦ଟି ବିଜୟୀ ଦଳକୁ ୬ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ସହ ଟ୍ରଫି, ପ୍ରମାଣପତ୍ର ଓ ଟେକ୍ନୋଲୋଜି କିଟ୍ ପ୍ରଦାନ କରାଯିବ। । ଏହାସହ କୃତୀ ପ୍ରତିଯୋଗୀଙ୍କୁ ଶିଳ୍ପସଂସ୍ଥାରେ ଇଣ୍ଟର୍ଣ୍ଣସିପ୍‌, ନିଯୁକ୍ତି ଓ ଷ୍ଟାର୍ଟଅପ୍‌ ପାଇଁ ସହାୟତା ମିଳିବ । ନଭେମ୍ବର ୧୨ ତାରିଖ ସକାଳ ୧୦ଟା ୩୦ରେ ନେତାଜୀ ସୁଭାଷ ପ୍ରେକ୍ଷାଗୃହରେ ଉଦ୍‌ଘାଟନୀ ଉତ୍ସବ ହେବ । ଏଥିରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିପରି ନଭେମ୍ବର ୧୩ ତାରିଖ ସନ୍ଧ୍ୟା ୬ଟା ୩୦ରେ ଉଦ୍‌ଯାପନୀ ଉତ୍ସବରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ।

Leave A Reply

Your email address will not be published.