
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ମୁଜାଫର ହୁସେନଙ୍କୁ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ତାଙ୍କର ଏହି ନିଯୁକ୍ତି ଖବର ପ୍ରକାଶ ପାଇବା ପରେ ପଦ୍ମପୁର ଅଞ୍ଚଳର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି । ମୁଜାଫର ହୁସେନ ଦୀର୍ଘଦିନ ଧରି କଂଗ୍ରେସ ଦଳ ସହ ଜଡ଼ିତ ରହି ଦଳୀୟ ସଂଗଠନକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିଆସୁଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଜଣେ ବରିଷ୍ଠ ଓ ସକ୍ରିୟ କଂଗ୍ରେସ ନେତା ଭାବେ ତାଙ୍କର ପରିଚୟ ରହିଛି । ଦଳୀୟ କାର୍ଯ୍ୟକ୍ରମ, ସାଂଗଠନିକ କାର୍ଯ୍ୟ ଏବଂ ଜନସାଧାରଣଙ୍କ ସମସ୍ୟାକୁ ନେଇ ସେ ସଦାସର୍ବଦା ସ୍ୱର ଉତ୍ତୋଳନ କରିଆସୁଥିବା ଜଣାପଡ଼ିଛି । ତାଙ୍କୁ ଜିଲ୍ଲା କଂଗ୍ରେସ କମିଟିର ଏହି ଗୁରୁଦାୟିତ୍ୱ ମିଳିବା ପରେ ପଦ୍ମପୁର ସମେତ ସମଗ୍ର ବରଗଡ଼ ଜିଲ୍ଲାରେ କଂଗ୍ରେସ ସଂଗଠନ ଅଧିକ ସୁଦୃଢ଼ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି । ଏହି ନିଯୁକ୍ତି ପାଇଁ ଦଳର ଶୀର୍ଷ ନେତୃତ୍ୱଙ୍କୁ କଂଗ୍ରେସ କର୍ମୀ ଓ ସମର୍ଥକମାନେ କୃତଜ୍ଞତା ଜଣାଇବା ସହ ନବନିଯୁକ୍ତ ସାଧାରଣ ସମ୍ପାଦକ ମୁଜାଫର ହୁସେନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ସେ ନିଜ ଦାୟିତ୍ୱକୁ ସୁଚାରୁରୂପେ ତୁଳାଇ ଦଳକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ସଂଗଠିତ କରିବାରେ ସଫଳ ହେବେ ବୋଲି ଆଶା ରହିଛି ।