jayashree

ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ମୃତ

  • ଘରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହେଲେ ମହିଳାଙ୍କ ସମେତ ୪ ଜଣ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ । ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ମହିଳା, ଜଣେ ୧୦ ବର୍ଷର ଶିଶୁକନ୍ୟା ଏବଂ ୮ ମାସର ଶିଶୁପୁତ୍ର ରହିଛନ୍ତି । ସୂଚନା ଅନୁସାରେ, ନଳିପୁର ଗ୍ରାମର ସେକ୍ ନିଜାମଉଦ୍ଦିନଙ୍କ ଆଜବେଷ୍ଟସ ଘରେ ରାତି ପ୍ରାୟ ୮ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ସମଗ୍ର ଘରକୁ ବ୍ୟାପିଯିବାରୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଘର ଭିତରେ ଥିବା ନିଜାମଉଦ୍ଦିନଙ୍କ ବଡ଼ବୋହୂ ତବ୍‌ସୁନି (୪୨), ଝିଅ ଗୁଲଫସା ବିବି (୨୭), ୧୦ ବର୍ଷର ନାତୁଣୀ ଏବଂ ୮ ମାସର ନାତି ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିଲେ । ଅନ୍ୟପକ୍ଷରେ, ପରିବାରର ଜଣେ ୨୨ ବର୍ଷୀୟ ଯୁବକ ଏହି ଅଗ୍ନିକାଣ୍ଡରେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।

Leave A Reply

Your email address will not be published.