
ନୂଆପଡ଼ାରେ ସାଇ ସ୍ୱସ୍ତି ହେଲଥ୍ କେୟାରର ନିଆରା ପ୍ରୟାସ : ଦିବ୍ୟାଙ୍ଗ ଶିଶୁ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗହଣରେ ପାଳିଲେ ଆଲୋକର ପର୍ବ ଦୀପାବଳି
ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ପବିତ୍ର ଦୀପାବଳି ଅବସରରେ ନୂଆପଡ଼ା ସାଇ ସ୍ୱସ୍ତି ହେଲଥ୍ କେୟାର ପକ୍ଷରୁ ଏକ ହୃଦୟସ୍ପର୍ଶୀ ତଥା ନିଆରା ମାନବୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଶିଶୁ ଏବଂ ଅବହେଳିତ ବୟୋଜ୍ୟେଷ୍ଠଙ୍କ ଜୀବନରେ ଆଶା, ବିଶ୍ୱାସ ଓ ଆଲୋକର ଖୁସି ଭରିବା ଲକ୍ଷ୍ୟରେ ସଂସ୍ଥା ପକ୍ଷରୁ ନୂଆପଡ଼ା ବଞ୍ଜାରୀସ୍ଥିତ ଅନ୍ଧ, ମୂକ ଓ ବଧିର ଆଶ୍ରମର କୁନି କୁନି ଦେବଦୂତ ଶିଶୁ ଏବଂ ସିନାପାଲିସ୍ଥିତ ହୋଲି ହୋମ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଗହଣରେ ଦୀପାବଳି ମହା ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି । ଆଗକୁ ଆସୁଥିବା ଶୀତ ଋତୁକୁ ଦୃଷ୍ଟିରେ ରଖି ଉଭୟ ଆଶ୍ରମର ଅନ୍ତେବାସୀଙ୍କ ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିସହ ପର୍ବର ଉତ୍ସାହ ବଢ଼ାଇବା ପାଇଁ ସମସ୍ତଙ୍କୁ ମିଠା ଏବଂ ଝିରିଝିରି (ଫୁଲଝରି) ଓ କୁମ୍ଭୀ (ଅନାର) ବାଣ ପ୍ରଦାନ କରି ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଏକ ନିଷ୍ଠାପର ପ୍ରୟାସ କରାଯାଇଥିଲା । ଏହି ସେବା କାର୍ଯ୍ୟକ୍ରମରେ ବରିଷ୍ଠ ସର୍ଜରୀ ବିଶେଷଜ୍ଞ ତଥା ଭେଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ର ଅଧୀକ୍ଷକ ଡାକ୍ତର ସ୍ୱସ୍ତିରେଖା ନାୟକ ମୁଖ୍ୟ ଭାବେ ଯୋଗଦେଇଥିଲେ । ବିଶିଷ୍ଟ ସମାଜସେବୀ ସନ୍ତୋଷ ପଟ୍ଟନାୟକ ଏବଂ ରାଜା ସାହୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଆୟୋଜକଙ୍କ ଏଭଳି ସାମାଜିକ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଞ୍ଜାରୀ ଆଶ୍ରମର ପ୍ରତିଷ୍ଠାତା ଅଶୋକ ପାଣିଗ୍ରାହୀ ଏବଂ ରାଜକୁମାର ପଟେଲ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସାମ୍ବାଦିକ ସୁଶାନ୍ତ କର, ସାମ୍ବାଦିକ ରତ୍ନ କେତକୀ, ସାମ୍ବାଦିକ ଅଶ୍ୱିନୀ କୁମାର ପାଣିଗ୍ରାହୀ ଏବଂ ବରିଷ୍ଠ ସାମ୍ବାଦିକ ସମୀର ରଞ୍ଜନ ହୋତା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ଏହିପରି ଭାବରେ ଦିବ୍ୟାଙ୍ଗ ଶିଶୁ ଏବଂ ବୃଦ୍ଧାଶ୍ରମର ଜ୍ୟେଷ୍ଠ ନାଗରିକଙ୍କ ସହ ଦୀପାବଳି ପରି ଏକ ପବିତ୍ର ଉତ୍ସବ ପାଳନ କରି ସାଇ ସ୍ୱସ୍ତି ହେଲଥ୍ କେୟାର ପରିବାର ନିଜକୁ ଧନ୍ୟ ତଥା ଗୌରବାନ୍ୱିତ ମନେ କରିଛି । ସ୍ଥାନୀୟ ଅଞ୍ଚଳରେ ଏହି ମହତ ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ।