
ବଲାଙ୍ଗିର, (କେପିଏନ୍ଏସ୍) : ଆଧୁନିକତାର ପ୍ରଭାବରେ ଆମର ପାରମ୍ପରିକ ଲୋକକଳା, ସଂସ୍କୃତି ତଥା ପରମ୍ପରା ଧୀରେ ଧୀରେ ହଜିଯାଉଛି । ଆମ ଅଞ୍ଚଳର ସ୍ୱତନ୍ତ୍ରତାକୁ ଦେଖାଇବାକୁ, ଏହାକୁ ଆମର ପରବର୍ତ୍ତୀ ପିଢ଼ିକୁ ସମର୍ପି ଦେବାକୁ ବର୍ତ୍ତମାନ ଠାରୁ ଉଦ୍ୟମ ଜରୁରୀ । ଲୋକକଳା ହିଁ ଆମକୁ ପରିଚୟ ଦେଇଥିଲା, ଏବେ ଦେଉଛି ଓ ଆଗାମୀ ସମୟରେ ମଧ୍ୟ ଦେବ ବୋଲି ବଲାଙ୍ଗିରର ଐତିହାସିକ କୋଶଳ କଳାମଣ୍ଡଳ ପଡିଆରେ ଆୟୋଜିତ ନବମ ଲୋକକଳା ଉତ୍ସବ-୨୦୨୬ର ଉଦ୍ଘାଟନୀ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଆହ୍ୱାନ ଦେଇଛନ୍ତି ଅତିଥିମାନେ । ଦୁଲଦୁଲି କଳା ପରିଷଦର ସଭାପତି ଅନନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବରେଣ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ଗୁରୁଶ୍ରୀ ରଞ୍ଜନ କୁମାର ସାହୁ, ମୁଖ୍ୟ ପୃଷ୍ଠପୋଷକ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ, ପରିଷଦର ଉପଦେଷ୍ଟା ଶତ୍ରୁଘ୍ନ ପାଣିଗ୍ରାହୀ, ପରିଷଦର ପୂର୍ବତନ ଅଧ୍ୟକ୍ଷ ଡ. ସଞ୍ଜୟ କୁମାର ମିଶ୍ର । ଏହି ଅବସରରେ ଅତିଥିମାନେ ନବମ ଲୋକକଳା ଉତ୍ସବକୁ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ପୂଜାଅର୍ଚ୍ଚନା କରି ଉଦଘାଟନ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକକଳାର ଅନନ୍ୟ ଶିଳ୍ପୀ ସଂକୀର୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକ ନାଟକ କଳାକାର ତଥା ଗୁରୁ ନବଦ୍ଵୀପ ଚାନ୍ଦ ବେହେରା ଓ ଦଣ୍ଡନୃତ୍ୟ ଗୁରୁ ଯୁଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ ଅତିଥିମାନେ । ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଂସ୍କୃତିକ ଦଳ ବିହୁ, ଘୁଡକା ଓ ଅନ୍ୟ ନୃତ୍ୟ ପରିବେଷଣ କରିଥିଲେ । ସୂଚନା ଯୋଗ୍ୟ ଯେ, ସହସ୍ରାଧିକ କଳାକାରମାନେ ବିଭିନ୍ନ ଲୋକନୃତ୍ୟ ଦଳ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।