ଭୁବନେଶ୍ୱରରେ ସହରାଞ୍ଚଳ ମୋ ସେବା କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଆଦର୍ଶ ‘ସହରାଞ୍ଚଳ ମୋ ସେବା କେନ୍ଦ୍ର’ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ବାପୁଜୀ ନଗରରେ ସ୍ମାର୍ଟ ସିଟି ସହଯୋଗରେ ଏହି ମୋ ସେବା କେନ୍ଦ୍ର ଆରମ୍ଭ କରାଯାଇଛି ।

ଏହି କେନ୍ଦ୍ରରେ ସହରାଞ୍ଚଳବାସୀଙ୍କୁ କୃଷକ ପଞ୍ଜିକରଣ, ଶ୍ରମ ପଞ୍ଜିକରଣ, ମୃତ୍ୟୁ ଏବଂ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ପ୍ରମାଣ ଇତ୍ୟାଦି ଡିଜିଟାଲ୍ ସେବା ଯୋଗାଇ ଦିଆଯିବ ।

ବର୍ତ୍ତମାନ ସୁଦ୍ଧା ୬୨୦୦ ପଞ୍ଚାୟତରେ ‘ମୋ ସେବା କେନ୍ଦ୍ର’ ପ୍ରତିଷ୍ଠା କରାଯାଇଅଛି । ମୋ ସେବା କେନ୍ଦ୍ର ମାଧ୍ୟମରେ ୪୦୦ରୁ ଅଧିକ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏହି ମଡେଲ୍ ‘ସହରାଂଚଳ ମୋ ସେବା କେନ୍ଦ୍ର’ ସହରାଞ୍ଚଳ ନାଗରିକଙ୍କ ଦୈନଦିନ ଡିଜିଟାଲ୍ ସେବାର ଆବଶ୍ୟକତାକୁ ପୂରଣ କରିବ । ଏହି ସେବା କେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ କରାଯାଇଛି ।

ଏହି କେନ୍ଦ୍ରରେ ସାଧାରଣ ଲୋକଙ୍କ ପାଇଁ ସୁବ୍ୟବସ୍ଥିତ ପ୍ରତୀକ୍ଷାଗୃହର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଓଡ଼ିଶା ସରକାରଙ୍କ ୫ଞ କାର୍ଯ୍ୟକ୍ରମ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକର ମିଳିତ ଆନୁକୂଲ୍ୟରେ ସମସ୍ତ ଡିଜିଟାଲ୍ ସେବାଗୁଡିକ ନାଗରିକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହା ଏକ ସ୍ଵତନ୍ତ୍ର ପ୍ରୟାସ ।

ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ମେୟର ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନ ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ପରିଚାଳନା ନିର୍ଦ୍ଦେଶକ ସ୍ମାର୍ଟ ସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମାର୍ଟ ସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓକାକ, ସାଧାରଣ ପରିଚାଳିକା ଓକାକ, ନିର୍ଦ୍ଦେଶକ ସହଜ ଏବଂ ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 + eleven =