jayashree

ଘୁଷୁରାମୁଣ୍ଡା ଅଙ୍ଗନୱାଡ଼ି ପାଚିକା ନିଯୁକ୍ତି ବିବାଦ ଘଟଣା : ୭ ଦିନ ମଧ୍ୟରେ ସମାଧାନ ନହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଚେତାବନୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦର ତୁରନ୍ତ ସମାଧାନ ଦାବିରେ ଶୁକ୍ରବାର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ପୂର୍ବରୁ ଏହି ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତାକୁ ନେଇ ସଂଘ ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ନିକଟରେ ଆବେଦନ କରାଯାଇଥିଲା । ଉକ୍ତ ଆବେଦନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିବାଦର ସ୍ଥାୟୀ ସମାଧାନ ପାଇଁ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ଇସଲୱାର ୨୦୨୩ ମସିହାର ସରକାରୀ ଗାଇଡ୍‌ଲାଇନ୍‌କୁ ଅନୁସରଣ କରି ଉକ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି । ଆଜିର ଏହି ଦାବି ଉପସ୍ଥାପନ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ, ଓଡ଼ିଶା କନ୍ଧ ସମାଜ ସାଧାରଣ ସମ୍ପାଦକ ଖୁସିରାମ ଯାନୀ, ମୁରିବାହାଲ ବ୍ଲକ୍ ଆଦିବାସୀ ସଂଘ ସଭାପତି ଲକ୍ଷ୍ମୀକାନ୍ତ ଧରୁଆ,ସାଧାରଣ ସମ୍ପାଦକ ମଧୁ ଯାନୀ, ସହ ସମ୍ପାଦକ ତୁଳସୀରାମ ଭୋଇ, ସାଂସ୍କୃତିକ ସମ୍ପାଦକ ଗୋପାଳ ସିଂ ଭୋଇ ଓ ୨୭ ନମ୍ବର ଜୋନ୍ କାର୍ଯ୍ୟକାରୀ ସଭାପତି ଦୂଷିମଣି ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୩ ସରକାରୀ ଗାଇଡ୍‌ଲାଇନ୍ ଆଧାରରେ ପ୍ରଶାସନ କେଉଁ ପଦକ୍ଷେପ ନେଉଛି ଏବଂ ଏହି ବିବାଦର କିପରି ସମାଧାନ ହେଉଛି, ତାହା ଉପରେ ଏବେ ସ୍ଥାନୀୟ ଅଞ୍ଚଳବାସୀ ଓ ସଂଘର ନଜର ରହିଛି ।

Leave A Reply

Your email address will not be published.