jayashree

ରାମଜୋଡ଼ି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଲାଠିକଟା ବ୍ଲକର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ରାମଜୋଡ଼ି ଗ୍ରାମ ପଞ୍ଚାୟତରେ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାମଜୋଡ଼ି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ । ବିଶେଷକରି ଗମନାଗମନ ସୁବିଧାକୁ ଗୁରୁତ୍ୱ ଦେଇ ବିଭିନ୍ନ ସ୍ଥାନରେ ସିସି ରୋଡ୍‌ ନିର୍ମାଣ ସହ କେତେକ ସ୍ଥାନରେ କମ୍ୟୁନିଟି ସେଣ୍ଟର ନିର୍ମାଣ ଭଳି ଏକାଧିକ ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଗ୍ରାମାଞ୍ଚଳରେ ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହେବା ସହ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସୁବିଧା ମିଳିପାରିବ ବୋଲି ଆଶା ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଅମୃତଲାଲ ଓରାମ, ଶାକାରୀ ଓରାମ, ସଞ୍ଚୟ ଭୁମିଜ, ପିଲ୍ଲା କୁଜୁର ଓ ଅମୁଲ ମୁଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଏବଂ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାମଜୋଡ଼ି ପଞ୍ଚାୟତର ବିକାଶକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ଅଞ୍ଚଳର ଭିତ୍ତିଭୂମିକୁ ଆହୁରି ମଜବୁତ କରିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Leave A Reply

Your email address will not be published.