
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଚାଷୀଙ୍କ ଅମଳ ଫସଲକୁ ସୁରକ୍ଷିତ ରଖି ଉଚିତ ମୂଲ୍ୟ ଦେବାର ଲକ୍ଷ୍ୟ ନେଇ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଜରାଜୀର୍ଣ୍ଣ । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସରକାରୀ ଭିତ୍ତିଭୂମି ବର୍ଷବର୍ଷ ଧରି ଅଚଳ ହୋଇ ପଡ଼ିରହିଛି । ମୂଲ୍ୟବାନ ଯନ୍ତ୍ରାଂଶ ପଡ଼ିପଡ଼ି ନଷ୍ଟ ହେଉଥିବା ବେଳେ ଚାଷୀଙ୍କ ଫସଲ ସଂରକ୍ଷଣର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହେବାକୁ ବସିଛି । ବାଲିଗୁଡ଼ା ତଥା ଏହାର ଆଖ ପାଖ ଅଞ୍ଚଳ ପନିପରିବା, ଅଦା, ହଳଦୀ ସମେତ ବିଭିନ୍ନ ଉଦ୍ୟାନଭିତ୍ତିକ ଫସଲ ଉତ୍ପାଦନର ଏକ ପ୍ରମୁଖ ଅଞ୍ଚଳ । ଚାଷୀଙ୍କ ଅମଳ ସାମଗ୍ରୀ ସଂରକ୍ଷଣ କରି ଅଭାବୀ ବିକ୍ରି ରୋକିବା ସହ ଉଚିତ ଦର ପାଇବାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ୨୦୧୪ ମସିହାରେ ୩୬ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ବାଲିଗୁଡ଼ା ଆଇଟିଡିଏ ଓ ଜାତୀୟ ଉଦ୍ୟାନ ମିଶନ ଯୋଜନା ଅଧୀନରେ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏହି ଶୀତଳଭଣ୍ଡାର ନିର୍ମାଣ ହୋଇଥିଲା । ନିର୍ମାଣ ପରେ ଏହା ବ୍ଲକ କୃଷକ ସଂଗଠନକୁ ହସ୍ତାନ୍ତର ହୋଇଥିଲା । ପ୍ରାରମ୍ଭିକ ସମୟରେ ଚାଷୀମାନେ ଏହାର ସୁବିଧା ପାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଓ ପରିଚାଳନାର ଅଭାବରୁ ଏହା ଧୀରେଧୀରେ ଅଚଳ ହୋଇଗଲା । ଏବେ ଦୀର୍ଘ ସମୟ ଧରି ବ୍ୟବହାର ନ ହୋଇ ଯନ୍ତ୍ରାଂଶଗୁଡ଼ିକ ନଷ୍ଟ ହେବାକୁ ବସିଛି । ସରକାରୀ ଅର୍ଥରେ ନିର୍ମିତ ସମ୍ପତ୍ତି ଏଭଳି ଅବ୍ୟବହୃତ ହୋଇ ନଷ୍ଟ ହେଉଥିବା ବେଳେ ଦାୟିତ୍ୱ କାହାର—ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଅମଳ କରୁଛନ୍ତି, ଅନ୍ୟପଟେ ଉଚିତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଅମଳ ସାମଗ୍ରୀକୁ କମ୍ ଦରରେ ବିକ୍ରି କରିବାକୁ ପଡ଼ୁଛି । ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଆୟ ଉପରେ ପଡ଼ୁଛି । ଏପରି ସ୍ଥିତିରେ ଶୀତଳଭଣ୍ଡାରର ଅବସ୍ଥା ଯାଞ୍ଚ କରି ନଷ୍ଟ ହୋଇଥିବା ଯନ୍ତ୍ରାଂଶ ବଦଳାଇବା, ଆବଶ୍ୟକ ମରାମତି କରିବା ଏବଂ ଏହାକୁ ଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ଉଦ୍ୟାନ ବିଭାଗ ନିକଟରେ ଦାବି ଜଣାଇଛନ୍ତି । ଏନେଇ ଉଦ୍ୟାନ ବିଭାଗ ଅଧିକାରୀ ନିରଞ୍ଜନ ଦ୍ୱିବେଦୀ କହିଛନ୍ତି, ଶୀତଳଭଣ୍ଡାରକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ନେଇ ଚାଷୀମାନେ ତାଙ୍କୁ ଭେଟିଛନ୍ତି । ଏହାକୁ କିପରି ପୁନଃକାର୍ଯ୍ୟକ୍ଷମ କରାଯାଇ ପାରିବ, ସେନେଇ ପଦକ୍ଷେପ ନେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ୩୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଭିତ୍ତିଭୂମି ଯଦି ଚାଷୀଙ୍କ କାମରେ ନ ଆସି ଯନ୍ତ୍ରାଂଶ ସହ ନଷ୍ଟ ହୋଇଯାଏ, ତେବେ ଏହା କେବଳ ଏକ ଅଚଳ ଶୀତଳଭଣ୍ଡାର ନୁହେଁ, ସରକାରୀ ଯୋଜନାର ଉଦ୍ଦେଶ୍ୟ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ପ୍ରଶ୍ନଚିହ୍ନ ।