
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଚୋରା ଗଞ୍ଜେଇ ଚାଲାଣରେ ଏବେ ଅପରାଧୀଙ୍କ ନୂଆ ଚାଲ୍ । ପୁଲିସ ଓ ଅବକାରୀ ବିଭାଗର ନଜର ଏଡ଼ାଇବାକୁ ଆମ୍ବୁଲାନ୍ସକୁ ହିଁ କରାଯାଇଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ । ହେଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ର ତୀକ୍ଷ୍ଣ ନଜରରୁ ଖସିପାରିଲେ ନାହିଁ ଚାଲାଣକାରୀ । ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍ ଓ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ସୂଚନାନୁସାରେ, କନ୍ଧମାଳରୁ ବାଲେଶ୍ୱରକୁ ଗଞ୍ଜେଇ ଚାଲାଣ ପାଇଁ ଅଭିଯୁକ୍ତ ମାନେ ଭିନ୍ନ ଭିନ୍ନ ଗାଡ଼ି ବ୍ୟବହାର କରିଥିଲେ । ଶଙ୍କରାଖୋଲ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଆମ୍ବୁଲାନ୍ସକୁ ଅବକାରୀ ମୋବାଇଲ୍ ଟିମ୍ ଅଟକାଇ ଯାଞ୍ଚ କରିବା ପରେ ଚୋରା ଚାଲାଣର ଏହି ନୂଆ ତରିକା ପଦାକୁ ଆସିଥିଲା । ସେହିପରି ଲାଇନପଡ଼ା ନିକଟରେ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ୍ ସହ ଏକ କାର୍ ମଧ୍ୟ ଜବତ କରାଯାଇଥିଲା । ଏହି ଦୁଇଟି ଘଟଣାରେ ଜବତ ଗଞ୍ଜେଇର ପରିମାଣ ମିଶି ୧୨୧ କେଜି ବୋଲି ଜଣାପଡ଼ିଛି । ଅବକାରୀ ବିଭାଗର ସୂଚନା ଅନୁସାରେ, ଗିରଫ ୬ ଜଣ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର । ଘଟଣାର ଚାଲାଣ ନେଟୱର୍କ ଏବଂ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି । ଆମ୍ବୁଲାନ୍ସ ଭଳି ଜରୁରୀ ସେବାର ଗାଡ଼ିକୁ ଚୋରାଚାଲାଣରେ ବ୍ୟବହାର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅବକାରୀ ବିଭାଗର ଏହି ଚଢ଼ାଉ ଗଞ୍ଜେଇ ଚାଲାଣକାରୀଙ୍କ ନୂଆ କୌଶଳକୁ ପଦାକୁ ଆଣିଛି ।