
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ । ଆବାସଠାରୁ ଆରମ୍ଭ କରି ଭିନ୍ନକ୍ଷମ ଭତ୍ତା, ଖାଦ୍ୟ ସୁରକ୍ଷା ଓ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଦିଆଯାଉଛି । ହେଲେ ଯୋଜନା ଥିଲେ ବି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚୁନଥିବାର ଏକ ଅଭିଯୋଗ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ଗାଁରେ ଦେଖିବାକୁ ମିଳିଛି । ଉକ୍ତ ଗାଁର କବିଚନ୍ଦ୍ର ସାହୁ ଓରଫ କବିରାଜ ଦିନେ ଛୋଟ ଦୋକାନ କରି ପରିବାର ଚଳାଉଥିଲେ । ହଠାତ୍ ତଳେ ପଡ଼ି ଅଣ୍ଟାରେ ଆଘାତ ଲାଗିବା ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ । ଚିକିତ୍ସା ପାଇଁ ଜମାପୁଞ୍ଜି ସରିବା ପରେ ଦୋକାନର ଜିନିଷପତ୍ର ଓ ଆସବାବପତ୍ର ବିକ୍ରି କରିବାକୁ ପଡ଼ିଥିଲା । ଫଳରେ ପରିବାରର ଏକମାତ୍ର ରୋଜଗାରର ବାଟ ମଧ୍ୟ ବନ୍ଦ ହୋଇଯାଇଛି । ଏବେ ପରିବାର ଚଳାଇବାର ଦାୟିତ୍ୱ ପତ୍ନୀଙ୍କ ଉପରେ । ସେ ପର ଘରେ ମଜୁରି କରିବା ସହ ଖଲିପତ୍ର ସିଲେଇ କରି ଯାହା ରୋଜଗାର କରୁଛନ୍ତି, ସେଥିରେ ଦୁଃଖକଷ୍ଟରେ ସଂସାର ଚଳୁଛି । ଦେଢ଼ଶୁର ଓ ଦିଅରଙ୍କ ସହାୟତା ମଧ୍ୟ ପରିବାର ପାଇଁ ଭରସା ପାଲଟିଛି । ଏହା ସତ୍ତ୍ୱେ ପରିବାରର ଜଣେ ଶିଶୁଙ୍କ ପାଠପଢ଼ା ଜାରି ରଖିବାକୁ ଚେଷ୍ଟା କରୁଛନ୍ତି । ସରକାରୀ ସହାୟତା ଭାବେ ବର୍ତ୍ତମାନ କବିରାଜଙ୍କୁ କେବଳ ଭିନ୍ନକ୍ଷମ ଭତ୍ତା ଏବଂ ପରିବାରକୁ ମାସିକ ୧୦ କିଲୋ ଚାଉଳ ମିଳୁଥିବା କୁହାଯାଇଛି । କବିରାଜଙ୍କ ଭିନ୍ନକ୍ଷମତା ପ୍ରାୟ ୮୦ ପ୍ରତିଶତ ଥିଲେ ମଧ୍ୟ ତାଙ୍କୁ ମିଳୁଛି ମାତ୍ର ୧ ହଜାର ଟଙ୍କା ଭତ୍ତା । ଘରଟିଏ ପାଇଁ ସେ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ଆବାସ ମିଳିନାହିଁ । ଏନେଇ ପ୍ରଶାସନକୁ ଅବଗତ କରାଯିବା ପରେ ବର୍ଦ୍ଧିତ ଭତ୍ତା, ଟ୍ରାଇସାଇକେଲ ଓ ୩୫ କିଲୋ ଚାଉଳ ଯୋଗାଇଦେବାକୁ ପ୍ରତିଶ୍ରୁତି ମିଳିଥିବା କୁହାଯାଇଛି । ହେଲେ ପ୍ରତିଶ୍ରୁତି ପରେ ମଧ୍ୟ ଏଯାଏଁ ସହାୟତା ମିଳିନଥିବାରୁ ପରିବାର ନିରାଶ ହୋଇଛି । ଯେଉଁ ବ୍ୟକ୍ତି ୮୦ ପ୍ରତିଶତ ଭିନ୍ନକ୍ଷମ, ନିଜେ ରୋଜଗାର କରିବାକୁ ଅସମର୍ଥ ଏବଂ ପରିବାର ଆର୍ଥିକ ଦୂରାବସ୍ଥାରେ ଅଛି, ତାଙ୍କ ପାଇଁ ଯଦି ସରକାରୀ ସହାୟତାର ଦ୍ୱାର ଖୋଲୁନାହିଁ, ତେବେ ଯୋଜନାର ପ୍ରକୃତ ଲାଭ କାହା ପାଇଁ, ଏହି ପ୍ରଶ୍ନ ଏବେ ସାଧାରଣରେ ଉଠିଛି । ତୁରନ୍ତ ପ୍ରଶାସନ କବିରାଜଙ୍କ ମାମଲାକୁ ଗୁରୁତ୍ୱ ଦେଇ ବର୍ଦ୍ଧିତ ଭତ୍ତା, ଆବାସ ଯୋଜନାରେ ସାମିଲ, ଟ୍ରାଇସାଇକେଲ ସହ ଭିନ୍ନକ୍ଷମଙ୍କ ସ୍ୱାବଲମ୍ବନ ପାଇଁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।