
- ମାଟିର କଥା ହିଁ ଚିରନ୍ତନ ସାହିତ୍ୟ ସୃଷ୍ଟିର ଦ୍ୱେତକ ହୁଏ
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧ ହୋଇଛି ବିଭିନ୍ନ ପ୍ରାନ୍ତୀୟ ସାରସ୍ୱତ ସୃଷ୍ଟିର ସହଯୋଗରେ । କେନ୍ଦ୍ରାଞ୍ଚଳ ଅପେକ୍ଷା ଓଡ଼ିଶାର ଉପାନ୍ତ ଅଞ୍ଚଳ ବେଶୀ ସହଯୋଗ ଦେଇଛି ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନା ପାଇଁ । ବଲାଙ୍ଗିରରେ ସମୃଦ୍ଧ ଓଡ଼ିଆ ଭାଷା ସାହିତ୍ୟର ପରମ୍ପରା ରହିଛି । ଏହି ପରମ୍ପରା ହିଁ ଓଡିଆ ସାହିତ୍ୟର ଶ୍ରୀ ବୃଦ୍ଧି କରିପାରିଛି । ବଲାଙ୍ଗିର ହିଁ ଓଡ଼ିଆ ଭାଷା ସାହିତ୍ୟକୁ ବେଶୀ ସମୃଦ୍ଧ କରିଛି ବୋଲି ମତ ପ୍ରକାଶ ପାଇଛି । ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏକ ଦିବାସୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବରେ । ପ୍ରଥମ ଅଧିବେଶନରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ. ସଞ୍ଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ପ୍ରାବନ୍ଧିକ ତୁଳସୀ ଜୈନଙ୍କ ସଭାପତିତ୍ୱରେ ଅତିବଡି ଜଗନ୍ନାଥ ଦାଶ ପୁରସ୍କାର ପ୍ରାପ୍ତ ପ୍ରଫେସର ମଧୁସୂଦନ ପତି ଉଦଘାଟକ ଭାବରେ ଯୋଗ ଦେଇଥିବାବେଳେ ବରେଣ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା ଗାୟତ୍ରୀ ସରାଫ, ସ୍ୱତନ୍ତ୍ର ଅତିଥି ଭାବେ ଡ଼. ଚନ୍ଦ୍ରଶେଖର ହୋତା, ସଚିବ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ଅତିଥି ଭାବେ ରଶ୍ମୀରଞ୍ଜନ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବଲାଙ୍ଗିର ମଂଚାସୀନ ହୋଇଥିଲେ । ପରେ ପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ବଲାଙ୍ଗିର ଜିଲ୍ଲାର ଅବଦାନ ଶୀର୍ଷକରେ ବଲାଙ୍ଗିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କୌତୁକ ପନ୍ଦର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼. ସୁଶାନ୍ତ କୁମାର ପଣ୍ଡା, ମହିଳା ମହାବିଦ୍ୟାଳୟ ଅଧ୍ୟାପକ ରତିକାନ୍ତ ନାଏକ ବଲାଙ୍ଗିରର ସାରସ୍ୱତ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଡ଼. ଚନ୍ଦ୍ରଶେଖର ହୋତା, ସଚିବ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କୁ ବଲାଙ୍ଗିର ମାଟିର କୃତି ସନ୍ତାନ ଭାବରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା । ଅତିଥି ପରିଚୟ -ରତ୍ନମୟ ତ୍ରିପାଠୀ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡ଼ ଶ୍ରୀକାନ୍ତ କୁମାର ବାରିକ । ଦ୍ଵିତୀୟ ଅଧିବେଶନରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଡ଼. ଜ୍ୟୋତି ସାହୁଙ୍କ ସଭାପତିତ୍ୱରେ ବରେଣ୍ୟ ଅତିଥି ଭାବରେ କବି ଭାଗିରଥି ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୁବୋଦୟ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସନ୍ଦୀପ କୁମାର କୁଅଁର, କବି ଆନନ୍ଦ ଚନ୍ଦ୍ର ସାହୁ, ଜିଲ୍ଲା ଲେଖକ ପରିଷଦ ସଭାପତି ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ ମଂଚାସୀନ ହୋଇ କବିତାର ଧାରା, ଭାବ ଓ ବିଭିନ୍ନ ବିଭବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ପରିଚୟ କବି ରାଜୀବ ଲୋଚନ ଆଚାର୍ଯ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶୁଭଶ୍ରୀ ବିଶ୍ୱାଳ ଓ ଅଧ୍ୟାପକ ଶୁଭ୍ରାଂଶୁ ବେହେରାଙ୍କ ମନୋଜ୍ଞ ସଂଯୋଜନାରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଅର୍ଦ୍ଧଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ଼. ସଞ୍ଜୟ ମିଶ୍ର ସଭା ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ସାହିତ୍ୟିକଙ୍କ ସହିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, କେ ଭି ମହାବିଦ୍ୟାଳୟ କଣ୍ଟାବାଞ୍ଜି ଓ ମହିଳା ମହାବିଦ୍ୟାଳୟ ବଲାଙ୍ଗିରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।