
ବଲାଙ୍ଗିର, (କେପିଏନ୍ଏସ୍) : ହୃଦଘାତରେ ଜୀବନ ହାରିଥିବା ଜିତେନ୍ଦ୍ର ସ୍ୱାଇଁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଦେଖାଇଛନ୍ତି ମହାନ ମାନବିକତାର ପରିଚୟ । ଶୋକର ଏହି ସମୟରେ ପରିବାର ପକ୍ଷରୁ ଜିତେନ୍ଦ୍ରଙ୍କ ନେତ୍ର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦାନ କରାଯାଇଛି । ଜିତେନ୍ଦ୍ରଙ୍କ ବଡ଼ଭାଇ ରାଜୁ ସ୍ୱାଇଁ କହିଛନ୍ତି, ନେତ୍ରଦାନ ଦ୍ୱାରା ଅନ୍ୟ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ଆଲୋକ ଫେରିଆସିବା ସହ ସେ ପୁଣିଥରେ ଏହି ସୁନ୍ଦର ଦୁନିଆକୁ ଦେଖିବାର ସୁଯୋଗ ପାଇପାରିବେ। ଜିତେନ୍ଦ୍ରଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ତାଙ୍କ ନେତ୍ରଦାନ ନିଷ୍ପତ୍ତି ସମାଜ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି । ମୃତ୍ୟୁ ପରେ ମଧ୍ୟ ଅନ୍ୟ ଜଣଙ୍କ ଜୀବନରେ ଆଲୋକ ଭରିବାର ଏହି ମହତ୍ କାର୍ଯ୍ୟ ଜିତେନ୍ଦ୍ରଙ୍କୁ ସବୁଦିନ ପାଇଁ ଅମର କରି ରଖିବ ।