
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମାଲପଡ଼ା ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ, ପାନୀୟ ଜଳ ସମସ୍ୟା, ବୁଲା କୁକୁରଙ୍କ ଆତଙ୍କ ଏବଂ ଟ୍ରାଫିକ୍ ଅବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ମାଲପଡ଼ା ନାଗରିକ କମିଟି । ଏହି ସବୁ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ଦାବି ହୋଇଛି । କମିଟିର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରଥମେ ଦିବଂଗତ ପଡ଼ାବାସୀଙ୍କ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ମାଲପଡ଼ାରେ ନିୟମିତ ମଶା ତେଲ ଓ ଧୂଆଁ ଦିଆଯାଉନଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ଏବଂ ଏହାଦ୍ୱାରା ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ ଉଠିଥିଲା । ସେହିପରି ପାନୀୟ ଜଳ ଯୋଗାଣ ସମୟରେ ବିଦ୍ୟୁତ୍ କାଟ୍ ହେଉଥିବାରୁ ଲୋକେ ଆବଶ୍ୟକ ଜଳ ପାଇପାରୁନଥିବା ସମସ୍ୟା ମଧ୍ୟ ଆଲୋଚନା ହୋଇଥିଲା । ଅନ୍ୟପଟେ ସହରରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ଆକ୍ରମଣର ଶିକାର ହେବା ସହ ଭୟଭୀତ ହୋଇ ଯାତାୟାତ କରୁଥିବାରୁ ପୌରପାଳିକାର ହସ୍ତକ୍ଷେପ ଲୋଡ଼ାଯାଇଥିଲା । ଏଥିସହ ଟିକ୍ରାପଡ଼ା ଦୈନିକ ବଜାରରେ ଚାରିଚକିଆ ଯାନ ଚଳାଚଳ ଉପରେ ପୋଲିସର କଟକଣା ଥିବା ସତ୍ତ୍ୱେ ନିୟମ ଉଲ୍ଲଂଘନ ହେଉଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ପୌରପାଳିକା, ବିଦ୍ୟୁତ୍ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନ ତୁରନ୍ତ ଧ୍ୟାନ ଦେବାକୁ କମିଟି ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ନଭେମ୍ବର ୧୫ ତାରିଖରେ ମାଲପଡ଼ା ରାମ ମନ୍ଦିର ସମ୍ମୁଖରେ ଟାଙ୍ଗିଆ ଜାମର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ହୋତାଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଶୋଭାରେ ସମସ୍ତ ସଭ୍ୟ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଥିଲା । ବୈଠକରେ ପ୍ରଫେସର ତରୁଣ କୁମାର ମିଶ୍ର, ସମ୍ପାଦକ ପଞ୍ଚାନନ ସେଠ, ଅମୀୟ କୁମାର ମିଶ୍ର, ଗଣେଶରାମ ବେହେରା, ଶିବପ୍ରସାଦ ଶତପଥୀ, ଦେବଜ୍ୟୋତି ଯୋଷୀ, ଛବିଲାଲ ବେହେରା ଓ ସୂର୍ଯ୍ୟଭାନୁ ମିଶ୍ରଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ବିନୋଦ ବିହାରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।