
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଛତିଶଗଡ ରାସ୍ତା ଦେଇ ସୁଦୂର ଉତ୍ତରପ୍ରଦେଶକୁ ହେଉଥିବା ଗଞ୍ଜେଇ ଚୋରା ଚାଲାଣ ରାକେଟକୁ ଧରିଛି । ଆଜି ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ନାରାୟଣ ନାୟକ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ବୁଧବାର ଦିନ ସୋନପୁର ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ବୌଦ୍ଧ ଜିଲ୍ଲାରୁ ସୋନପୁର ଜିଲ୍ଲା ତରଭା ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ଉତ୍ତରପ୍ରଦେଶକୁ ଏକ ଗ୍ରାନାଇଟ ପାଉଡର ବୋଝେଇ ଟ୍ରକ ଯୋଗେ ହେଉଛି ଏବଂ ଏକ ବାଇକ୍ରେ ଟ୍ରକ୍କୁ ପାଇଲଟିଂ କରାଯାଉଛି । ଏହା ଜଣାପଡ଼ିବା ପରେ ଏସ୍ପି ଶ୍ରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ତରଭା ଆଇଆଇସି ଡୋଳାମଣି ପ୍ରଧାନ ନାକା ବନ୍ଦୀ କରିଥିଲେ । ଅପରାହ୍ନ ସମୟରେ ପେଟ୍ରୋଲିଙ୍ଗ ବେଳେ ସୂଚନା ଅନୂଯାୟୀ ଦେଓଗାଁ ଛକ (ନବୋଦୟ ବିଦ୍ୟାଳୟ) ରାସ୍ତାରେ ଏକ ସିଡି ଡିଲକ୍ସ ବାଇକ ନଂ ଓଆର୍୦୩ଇ – ୨୮୪୮ରେ ପାଇଲଟିଙ୍ଗ ଦେଉଥିବା ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଜଡ଼ଜଡ଼ ଗ୍ରାମର କାହ୍ନୁ ଚରଣ ଅମାତ (୪୨)ଙ୍କୁ ପ୍ରଥମେ ଅଟକ ରଖିଥିଲା ପୋଲିସ ଏବଂ ପରେ ପରେ ଉତ୍ତରପ୍ରଦେଶ ନମ୍ବର ଥିବା ୟୁପି୧୯ଏଟି ୩୦୩୭ ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଗାଡ଼ିରେ ଥିବା ଅଭିଯୁକ୍ତ ଉତ୍ତରପ୍ରଦେଶର ଶ୍ୟାମଲି ଗ୍ରାମର ଏକ୍ରମ ଅହମ୍ମଦ(୪୬), ରାୟପୁର କବିରନଗର ଥାନା ହୀରାପୁର କଲୋନୀର ମିଥିଲେସ ତିୱାରୀ(୪୬)କୁ ପୋଲିସ ଧରିଥିଲା । ତାଙ୍କୁ ପଚରାଉଚରା କରାଯିବାରୁ ସେମାନେ ଚୋରା ଗଞ୍ଜେଇ ବୌଦ୍ଧ ଜିଲ୍ଲା ଦଣ୍ଡପଡ଼ା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ରଞ୍ଜିତ ସାହୁଙ୍କ ଠାରୁ ସଂଗ୍ରହ କରି ଉତ୍ତରପ୍ରଦେଶର ସାଜନପୁର ଅଞ୍ଚଳର ସରିକ୍ ଅହମ୍ମଦଙ୍କ ନିକଟକୁ ଚାଲାଣ କରୁଥିବା କହିଥିଲେ । ପରେ ମାଜିଷ୍ଟ୍ରେଟ ସେଲିନା ପ୍ରିୟଦର୍ଶିନୀ ନାଏକଙ୍କ ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ୨ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ସହ ଗୋଟିଏ ଟ୍ରକ, ଗୋଟିଏ ବାଇକ, ତିନିଟି ମୋବାଇଲ ଜବତ କରାଯାଇଥିବା ବେଳେ ଏନେଇ ତରଭା ଥାନାରେ ଏକ ମାମଲା ନଂ ୩୭୦/୧୧.୧୧.୨୬ ଏନ୍ଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏସ୍ଆଇ ସଙ୍ଗୀତା ଲାକ୍ରା ତଦନ୍ତ ଭାର ନେଇଛନ୍ତି । ପେଟ୍ରୋଲିଙ୍ଗରେ ଆଇଆଇସି ଡୋଳାମଣୀ ନାଏକ, ଧନପତି ମୁଣ୍ଡା, ଗୋପିନାଥ ସାହୁ, ସାନନ୍ଦ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।