jayashree

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଷଷ୍ଠତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ : ବିଶାଳ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଃସ୍ୱାର୍ଥପର ସମାଜସେବା ପାଇଁ ସଦା ଉତ୍ସର୍ଗୀକୃତ ଅଗ୍ରଣୀ ସଂଗଠନ ‘ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ’ ପକ୍ଷରୁ ଆଜି ଷଷ୍ଠତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆଠାରେ ସଂଗଠନ ତରଫରୁ ଏକ ମେଗା ରକ୍ତଦାନ ଶିବିର ସହ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ​ବଲାଙ୍ଗିରର ସ୍ୱରାଜ ନର୍ସିଂ ହୋମ୍ ଓ ରିସର୍ଚ୍ଚ ସେଣ୍ଟରର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ସାଧାରଣ ଲୋକଙ୍କ ପାଇଁ ମାଗଣା ବ୍ଲଡ୍ ସୁଗାର ଓ ରକ୍ତଚାପ (ବିପି) ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ଏଥିରେ ବଲାଙ୍ଗିର ସହର ସମେତ ଆଖପାଖ ଅଞ୍ଚଳର ଶହ ଶହ ଲୋକ ସାମିଲ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ​ଏହି ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ସଂଗଠନର ସଦସ୍ୟମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ସଦର ପୋଲିସ ଏସଡିପିଓ ସରୋଜ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି ସଂଗଠନର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଶିବିରରେ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦେବା ପାଇଁ ସ୍ୱରାଜ ହସ୍ପିଟାଲର ବିଶିଷ୍ଟ ଡାକ୍ତର ଡା. ସୀତାଂଶୁ ଷଡ଼ଙ୍ଗୀ, ଡା. ପୂଜା ପଟ୍ଟନାୟକ ଏବଂ ଡା. ଶିବାନୀ ସାହୁ ପ୍ରମୁଖ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ । ​କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶିବିରକୁ ସଫଳ କରିବାରେ ବିଶେଷ ଅବଦାନ ପାଇଁ ସ୍ୱରାଜ ହସ୍ପିଟାଲର ଡାକ୍ତରୀ ଦଳ, ବଲାଙ୍ଗିର ରେଡ୍‌କ୍ରସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ କର୍ମଚାରୀମାନଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.