
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ ଏକ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବ୍ଲକର ବାଦିବାହାଲ, ଝାରମୁଣ୍ଡା ଓ କନ୍ଦାଜୁରି ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଲୋଇସିଂହା ବ୍ଲକ ଭାରପ୍ରାପ୍ତ କୃଷି ଅଧିକାରୀ ରୋହନ କୁମାର ସାହୁ, ପୁଇଁତଲା ବ୍ଲକ ସହକାରୀ କୃଷି ଅଧିକାରୀ ଅଭିଷେକ ପାଢ଼ୀ, ଦେଓଗାଁ ବ୍ଲକ ସହକାରୀ କୃଷି ଅଧିକାରୀ ରୋହନ କୁମାର ଭୋଇ ଓ ତନ୍ମୟ କୁମାର ମୁନା ଯୋଗଦେଇ ଧାନ ଅମଳ ପରବର୍ତ୍ତୀ ପଡିଆ ଜମିର ସଠିକ୍ ପରିଚାଳନା, ମାଟିର ଉର୍ବରତା ବୃଦ୍ଧି ଓ ପରବର୍ତ୍ତୀ ଫସଲ ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଆବଶ୍ୟକ ପ୍ରୟୋଗାତ୍ମକ ତଥ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିସହିତ ସାଂପ୍ରତିକ ପରିସ୍ଥିତିରେ ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ ସାରର ବ୍ୟବହାର, ଫସଲ ଅମଳ ପରେ ତାର ରକ୍ଷଣାବେକ୍ଷଣ ତଥା ମୂଷା ଓ ମାଙ୍କଡ ଭଳି ଜୀବଜନ୍ତୁଙ୍କ ଉପଦ୍ରବରୁ ଫସଲର ସୁରକ୍ଷା ଉପରେ ଚାଷୀଙ୍କୁ ବୁଝାଇଥିଲେ । ଏହି ଶିବିରରେ ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ଜିଲ୍ଲା ପରିଷଦ ପ୍ରତିନିଧି ହୃଦୟାନନ୍ଦ ବେହେରା, ସମିତି ସଭ୍ୟ ଅଜିତ ବେହେରା, ଭିଏଡବ୍ଲୁ ସୁକାନ୍ତି ମହାନନ୍ଦ, ଧରିତ୍ରୀ ସାହୁ, ପିଙ୍କୁ ସାହୁ, ସ୍ୱେଚ୍ଛାସେବୀ ସଂଗଠନ “ଆଦର୍ଶ”ର ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁ, କ୍ଷେତ୍ର ସଂଯୋଜକ ଆଶା ସେଟ, ସନ୍ଧ୍ୟାରାଣୀ ସାହୁ, ସୁନନ୍ଦା ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ ।