ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନରେ ବୃଦ୍ଧି

  • ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ହେବେ ଉପକୃତ
  • ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ୫୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା
  • ୮୦ ବର୍ଷରୁ ଅଧିକ ହେଲେ, ୭୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୨୦୦ ଟଙ୍କା
  • ଫେବୃଆରୀ ୨୦୨୪ରୁ ଲାଗୁ ହେବ
  • ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକମାନେ କରିଥିଲେ ଅନୁରୋଧ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି । ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍‌ସନ ପାଇବେ । ସେହିପରି ୮୦ ବର୍ଷ ବୟସରୁ ଅଧିକ ନିର୍ମାଣ ଶ୍ରମିକମାନେ ୭୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ପାଇବେ । ଏହି ନୂତନ ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଚ୍ଛିଲା ଭାବେ ଲାଗୁ ହେବ । ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ ।

Leave A Reply

Your email address will not be published.

4 × 2 =