pakka

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ : ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ବିଜ୍ଞାନ ମେଳା ଉଦଘାଟନ କରି ବିଜ୍ଞାନ ପ୍ରକଳ୍ପଗୁଡିକୁ ବୁଲି ଦେଖିବା ସହ ପ୍ରକଳ୍ପ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ବିଜ୍ଞାନ ମେଳାରେ ପ୍ରତ୍ୟେକ ବ୍ଲକରୁ ୭ ଗୋଟି ବିଷୟରେ ପ୍ରଥମ ହୋଇ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ୯୮ ଗୋଟି ବିଜ୍ଞାନ ପ୍ରକଳ୍ପ ଏବଂ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗୀତା(ଇନ୍ସପାୟର)ରେ ୧୩୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ଉଦଘାଟନୀ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ତଥା ବୌଦ୍ଧିକ ବିକାଶ ଘଟିଥାଏ । ପ୍ରତିଭାକୁ ବିକଶିତ କରି ନିଜକୁ ଏକ ସ୍ଵତନ୍ତ୍ର ଭାବେ ଉପସ୍ଥାପିତ କରିବା ସହ ଜଣେ ସଫଳ ମଣିଷ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଶୈକ୍ଷିକ ବାତାବରଣକୁ ସଦୁପଯୋଗ କରି ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଏହି ସଭାରେ ସଭାପତିତ୍ଵ କରି ବିଦ୍ୟାଳୟ ଗୁଡିକରେ ପାଠପଢା ସହ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେବା ସହ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ଵାରୋପ କରିଥିଲେ । ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସରୋଜ କୁମାର ନାୟକ ବିଜ୍ଞାନ ମେଳା ଆୟୋଜନର ତାତ୍ପର୍ଜ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକ, ବଲାଙ୍ଗିର ଭରପ୍ରାପ୍ତ ବିଇଓ ଲୋକନାଥ ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହିଆଲର ପ୍ରଧାନ ଶିକ୍ଷକ ରାମ ଗୋପାଳ ଖମାରୀ ଶର୍ମା ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ବିଜ୍ଞାନ ମେଳା ଆସନ୍ତା କାଲି ଉଦଯାପିତ ହେବ । ବିଜ୍ଞାନ ମେଳାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଇଲେ ।

Leave A Reply

Your email address will not be published.

1 × 5 =