ଜୟପାଟଣା, (ଶେଷଦେବ ବେହେରା) : ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷର ହିସାବ ରଖି ଆସୁଥିବା ସରକାରଙ୍କ ପଞ୍ଜିକାରେ ମଧ୍ୟ ବାସ୍ତବ ତଥ୍ୟ ପଦାକୁ ଆସିପାରେନାହିଁ । ସେହିଭଳି ସ୍ଥିତିରେ ନିରାପଦ ମାତୃତ୍ଵ ନାମରେ ଲହଡ଼ି ଭାଙ୍ଗୁଥିବା ଯୋଜନା ଗୁଡିକ ମଧ୍ୟ ଅବାଟରେ ହଜିଯିବା ସହିତ ନାବାଳିକା ମଧ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଟ୍ରାକ୍ଟର ଟ୍ରଲିରେ ଯନ୍ତ୍ରଣାରେ ଛଟପଟ ହୋଇ ବୁହା ହେବା ଅବସ୍ଥାରେ ଏକ ଶିଶୁ କନ୍ୟା ଜନ୍ମ ଦେବା ଘଟଣା ଅଞ୍ଚଳର ବିକାଶ ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇ ସାରିଲାଣି । ଆମେ କହୁଛୁ କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଲକର ଅଁଳା ଭଟା ପଞ୍ଚାୟତର ଦୁର୍ଗମ ପାହାଡ଼ ଉପରେ ରହିଥିବା ଦାବ୍ରିଗୁଡ଼ା ଗ୍ରାମର କଥା । ସତର ବର୍ଷ ଚାରି ମାସ ଛଅ ଦିନର ନାବାଳିକା ଅମିଲା ମାଝୀସ୍ୱାମୀ ଡୋମୁ ମାଝୀର ଗର୍ଭ ବେଦନା ଗତ ୧୦ତାରିଖ ଦିନ ଆରମ୍ଭ ହେବା ପରେ ନବରଙ୍ଗପୁର ଜିଲ୍ଲାର ମୟିଦଲ୍ ପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସ ପାଇଁ ଖବର କରାଯାଇଥିଲା । ଆମ୍ବୁଲାନ୍ସ ଚଞ୍ଚରା ଗୁଡ଼ା ପର୍ଯ୍ୟନ୍ତ ଆସି ପରବର୍ତ୍ତୀ କଳାହାଣ୍ଡି ଜିଲ୍ଳା ସୀମାନ୍ତ ଅଂଚଳରେ ସଡକ ସୁବିଧା ନଥିବାରୁ ସେଠାର ହିଁ ଅଟକି ଯାଇଥିଲା । ପ୍ରଥମ ଗର୍ଭର ସ୍ୱପ୍ନ ଦେଖିଥିବା ଅମୀଲାର ଗର୍ଭ ଯନ୍ତ୍ରଣା ବଢିବାରୁ ପରିବାର ଲୋକେ ଖଟିଆରେ ବୋହି ନେବା ପରିବର୍ତ୍ତେ ଏକ ଟ୍ରାକ୍ଟର ଟ୍ରଲିରେ ଅମିଲାକୁ ମୂମୂର୍ଷ ଅବସ୍ଥାରେ ବାହାର କରିଦେଲେ । କିନ୍ତୁ ଯିବା ବାଟରେ ହିଁ ଟ୍ରଲି ଦେହରେ ପ୍ରସୂତି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା । ପରେ ଚଞ୍ଚରା ଗୁଡ଼ା ଠାରୁ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଳା ଅନ୍ତର୍ଗତ ମୟିଦଲ୍ପୁର ଡାକ୍ତଖାନାରେ ଭର୍ତ୍ତି କରଯାଇଥିଲା । ସେଠାରେ ଡାକ୍ତର ରକ୍ତର ଅଭାବ ଓ ମ୍ୟାଲେରିଆରେ ପୀଡିତ ହୋଇଥିବାର ଦର୍ଶାଇ ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏବେ ଅମିଲାର ଅବସ୍ଥା ସ୍ଵାଭାବିକ ଥିବାର ପରିବାର ଲୋକେ ସୂଚନା ଦେଇଛନ୍ତି । ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଜୟପାଟଣା ବ୍ଲକ ଆଁଲାଭଟ୍ଟା ପଞ୍ଚାୟତର କରାଘାଟି, ଦାବ୍ରୀଘାଟି, ଟେଣ୍ଡକା ଚୁଆଁ, କର୍ଲାକୋଟ, ପଟା କୁସୁମୀ ଆଦି ଅଞ୍ଚଳ ସମୁଦ୍ର ପତ୍ତନରୁ ୨୦୦୦ଫୁଟ ଉର୍ଦ୍ଧରେ ରହି ସମସ୍ତ ପ୍ରତିକୂଳ ଅବସ୍ଥାରେ ଜୀବନ ଯନ୍ତ୍ରଣା ଭୋଗି ଆସୁଥିଲେ ମଧ୍ୟ ଏମାନଙ୍କ ପାଇଁ ଅନେକ ଯୋଜନା ଥାଇ ମଧ୍ୟ ବିକାଶକୁ ନେଇ କେହି ଚିନ୍ତା କରୁନଥିବା ଲୋକେ ପ୍ରକାଶ କରିଛନ୍ତି । ପାହାଡ଼ ଉପରେ ରହିଥିବା ଏହି ଛଅ ଖଣ୍ଡ ଗ୍ରାମର ୧୪୩ ପରିବାରଙ୍କ ହାରାହାରି ୭୧୫ ଜୀବନ ପାଇଁ ଖାଦ୍ୟ, ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ସେବା ଭଳି ସମ୍ବେଦନଶୀଳ ଆବଶ୍ୟକତା ପାଇଁ ସଙ୍ଘର୍ଷ କରିବାକୁ ପଡେ । ପ୍ରଥମତଃ ପଞ୍ଚାୟତ ମହକୁମା ପାଇଁ ସଂଯୋଗର କୌଣସି ସୁବିଧା ନଥିବାରୁ ୨୫ କି.ମି. ପାହାଡିଆ ରାସ୍ତାରେ ଆସି ଭତ୍ତା ଓ ଚାଉଳ ନେବାକୁ ପଡ଼ିଥାଏ । ପାନୀୟ ଜଳର ମଧ୍ୟ ପର୍ୟ୍ୟାପ୍ତ ସୁବିଧା ନ ଥିବାରୁ ଅନେକ ସମୟରେ ଝରଣା ପାଣି ଉପରେ ନିର୍ଭର କରିବାକୁ ପଡ଼ିଥାଏ । କିଛି ଗ୍ରାମରେ ଏବେ ସୋଲାର ପରିଚାଳିତ ବିଜୁଳି ଦେଖିବା ସୌଭାଗ୍ୟ ପାଇଥିବା ବେଳେ ଦାବ୍ରୀ ଘାଟି, କରା ଘାଟି ଅଞ୍ଚଳର ଅଧିବାସୀ ଆଜିବି ଅନ୍ଧାରରେ ଦିନ କାଟୁଥିବା ଲୋକେ ପ୍ରକାଶ କରିଛନ୍ତି । ପାରିପାର୍ଶ୍ୱିକ ଅବସ୍ଥିତିରେ କୌଣସି ବିଦ୍ୟାଳୟ ନ ଥିବାରୁ ଶିଶୁଙ୍କ ପାଠପଢା ସୂତା ଖିଅରେ ବାନ୍ଧି ହୋଇ ରହିଯାଏ । ଏହି ସବୁ ଅଞ୍ଚଳରେ କ୍ରମାଗତ ଭାବରେ ନିରାପଦ ମାତୃତ୍ଵ ସାଙ୍ଗକୁ ଦୟନୀୟ ଜୀବନ ଯାତ୍ରାର ଚିତ୍ରପଟ ବିଭିନ୍ନ ସମୟରେ ଖବର ପୃଷ୍ଠାରେ ରହିଥିଲେ ମଧ୍ୟ ବିକଶିତ ଗାଁ, ବିକଶିତ ଓଡ଼ିଶା ଭଳି ଯୋଜନା ମାନେ ମଧ୍ୟ ଲୋକଙ୍କ ପାଖକୁ ପଶି ପାରୁ ନଥିବା ଆଲୋଚନା ହେଉଛି । ଏଭଳି ଦୁର୍ଗମଅଞ୍ଚଳ ମାନଙ୍କର ସାମଗ୍ରିକ ବିକାଶ ପାଇଁ ନିଷ୍ଠାପର ଭାବରେ ପ୍ରଶାସନିକ ଉଦ୍ୟମ ଓ ସରକାରୀ ପ୍ରୋତ୍ସାହନର ପ୍ରତିକ୍ଷାରେ ଅଞ୍ଚଳବାସୀ ଅପେକ୍ଷା କରି ରହିଥିବା ପ୍ରକାଶ କରିଛନ୍ତି ।
