jayashree

ଦାଦନ ଶ୍ରମିକଙ୍କ କଲ୍ୟାଣ ପାଇଁ ‘ନୂଆପଡ଼ା ଉନ୍ମେଷ’

  • କୁସୁମଜୋରରେ ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା
  • ପ୍ରବାସୀ ଶ୍ରମିକଙ୍କୁ ସରକାରୀ ଯୋଜନା ଓ ବିକଳ୍ପ ଜୀବିକା ସହ ଯୋଡ଼ିବା ଉପରେ ଗୁରୁତ୍ୱ

ନୂଆପଡ଼ା, (କେପିଏନ୍‌ଏସ୍‌) : ଦାଦନ ସମସ୍ୟାର ନିରାକରଣ ସହ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ସରକାରୀ କଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ ଆୟୋଜିତ ହୋଇଛି ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ। ସିନାପାଲି ବ୍ଲକ କୁସୁମଜୋର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକ, ସମ୍ଭାବ୍ୟ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ନିଯୁକ୍ତି, ଜୀବିକା ଏବଂ ବିଭିନ୍ନ ସରକାରୀ ସେବା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଗଣେଶ୍ୱର କଁହର ଯୋଗଦେଇ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ସେବା ଷ୍ଟଲ୍‌ଗୁଡ଼ିକ ପରିଦର୍ଶନ କରିଥିଲେ। ହିତାଧିକାରୀଙ୍କୁ ମିଳୁଥିବା ସୁବିଧା ଓ ସେବା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରମ ବିଭାଗ ପକ୍ଷରୁ ପ୍ରାୟ ୯୧ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ କେତେକ ଆବେଦନର ତତ୍କାଳ ସମାଧାନ କରାଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଦୁଇ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ମୃତ୍ୟୁକାଳୀନ ସହାୟତା ମିଳିଥିବା ବେଳେ ଦୁଇ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମାତୃତ୍ୱକାଳୀନ ସହାୟତା ଦିଆଯାଇଥିଲା। ସେହିପରି ତିନି ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବିବାହ ସହାୟତା ଏବଂ ଦୁଇ ଜଣଙ୍କୁ ୭ ହଜାର ଓ ୫ ହଜାର ଟଙ୍କା ଶିକ୍ଷା ସହାୟତା ପ୍ରଦାନ କରାଯାଇଥିଲା। ପ୍ରବାସୀ ଶ୍ରମିକଙ୍କ ପରିବାର ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଆଧାର ପଞ୍ଜୀକରଣ ଓ ସଂଶୋଧନ, ବ୍ୟାଙ୍କ ଖାତା ଖୋଲିବା, ଆଧାର ସଂଯୋଗ, ରାସନ କାର୍ଡ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ ସେବା ଯୋଗାଇ ଦିଆଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳରେ ଜୀବିକା ନିର୍ବାହ ଓ ନିଯୁକ୍ତିର ବିକଳ୍ପ ସୁଯୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଷ୍ଟଲ୍‌ରେ ଉପସ୍ଥିତ ରହି ଆବେଦନ ଗ୍ରହଣ କରିବା ସହ ଯୋଜନାର ଲାଭ ଓ ଆବଶ୍ୟକ ଦସ୍ତାବିଜ ସମ୍ପର୍କରେ ହିତାଧିକାରୀଙ୍କୁ ବୁଝାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରାଯାଇଥିବା ଆବେଦନଗୁଡ଼ିକର ତ୍ୱରିତ ଫଇସଲା ଉପରେ ଗୁରୁତ୍ୱ ଦେଇଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଯେପରି ସମୟୋଚିତ ଭାବେ ସରକାରୀ ସହାୟତା ମିଳିପାରିବ, ସେଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ, ଉପଜିଲ୍ଲାପାଳ ଶେଖ୍‌ ନସିମଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ‘ନୂଆପଡ଼ା ଉନ୍ମେଷ’ ଜରିଆରେ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ସରକାରୀ ସେବାର ସିଧାସଳଖ ଲାଭ ପହଞ୍ଚାଇବା, ଆର୍ଥିକ ସୁରକ୍ଷା ସୁଦୃଢ଼ କରିବା ଏବଂ ସ୍ଥାନୀୟ ଜୀବିକାର ବିକଳ୍ପ ସୁଯୋଗ ସୃଷ୍ଟି କରିବା ଦିଗରେ ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଜାରି ରହିଛି।

Leave A Reply

Your email address will not be published.