
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଚାଞ୍ଚେରର ନବମ ଶ୍ରେଣୀ ଛାତ୍ରୀ ଉଦେତ୍ରୀ ମାଝୀ ୩୨ ତମ ଜାତୀୟ ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ -୨୦୨୬ ପାଇଁ ମନୋନୀତ ହୋଇ ବିଦ୍ୟାଳୟ ତଥା ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଛତିଶଗଡ଼ର ରାୟପୁରସ୍ଥିତ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା ପ୍ରତିଷ୍ଠାନ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ବିଜ୍ଞାନ କଂଗ୍ରେସରେ ନିଜର ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ଗବେଷଣାତ୍ମକ ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇଛନ୍ତି । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ହେଉଛି ୧୦ରୁ ୧୭ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଗବେଷଣାମୂଳକ ଚିନ୍ତନ, ସୃଜନଶୀଳତା ଓ ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରୁଥିବା ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ । ଏହି ମଞ୍ଚ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ସମସ୍ୟାଗୁଡ଼ିକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରି ସମାଧାନର ନୂତନ ପନ୍ଥା ଖୋଜିବା ପାଇଁ ପ୍ରେରଣା ଯୋଗାଇଥାଏ । ତା ୨୭ନଭେମ୍ବର ୨୦୨୬ ଓ ତା ୨୮ ନଭେମ୍ବର ୨୦୨୬ ଦୁଇଦିନ ଧରି ଡୁନ୍ ଇଣ୍ଟରନେସନାଲ୍ ସ୍କୁଲ, ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ‘ଲୋପ ପାଇ ଯାଉଥିବା ଝୋଟିଚିତାର ପୁନରୁଦ୍ଧାର ଓ ଏହାର ବୈଜ୍ଞାନିକ ଦିଗର ଅନୁସନ୍ଧାନ’ ବିଷୟବସ୍ତୁ ନିମନ୍ତେ ସେ ଏହି ସଫଳତା ପାଇଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ପ୍ରଧାନ, ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କର ଏହି ଜାତୀୟ ସ୍ତରୀୟ ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।