ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ରକ୍ତଭଣ୍ଡାରରେ ରକ୍ତର ବ୍ୟାପକ ଅଭାବ ରହିଥିବାବେଳେ ରକ୍ତ ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପ୍ରବଳ ଗ୍ରୀଷ୍ମରେ ଲୋକେ ରକ୍ତଦାନ କରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । ଏପରି ପରିସ୍ଥିତିରେ ରକ୍ତଭଣ୍ଡାରକୁ ରକ୍ତ ଯୋଗେଇଦେବାକୁ ଯାଇ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ବରଗଡ ହାଟପଦା ସ୍ଥିତ ମାଁ ଜଗତଜନନୀ ଦୁର୍ଗା ମନ୍ଦିର କମିଟି ପକ୍ଷରୁ ନିଆରା ରକ୍ତଦାନ ଶିବିରର ଆୟୋଜନ କରାଯାଇ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ଯାହାକି ୭୦ ଗୋଟି ଜୀବନ ବଞ୍ଚାଇ ପାରିବ । ବରଗଡ ହାଟପଦା ସ୍ଥିତ ମାଁ ଜଗତଜନନୀ ଦୁର୍ଗା ମନ୍ଦିର ପ୍ରତିଷ୍ଠା ହେବାର ସାତ ବର୍ଷ ପୂର୍ତ୍ତି ହୋଇଥିବାବେଳେ ମାଁ ଜଗତଜନନୀ ଦୁର୍ଗା ମନ୍ଦିରର ସପ୍ତମ ପ୍ରତିଷ୍ଠା ମହୋତ୍ସବ ପାଳନ କରାଯାଉଛି । ତେବେ ଏହି ଅବସରରେ ସଂକଳ୍ପ ପରିବାର ଓ ଦୁର୍ଗା ମନ୍ଦିର କମିଟି ପକ୍ଷରୁ ସଞ୍ଚାର ପଡିଆଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ସମୁଦାୟ ୭୦ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା ଓ ଆଦୌ ରକ୍ତ ନଥିବା ବରଗଡ ରକ୍ତଭଣ୍ଡାରକୁ ୭୦ ୟୁନିଟ ରକ୍ତ ପ୍ରଦାନ କରଯାଇଥିଲା । ଆଜିର ଏହି ରକ୍ତଦାନ ଶିବିରରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ତାଙ୍କ ଧର୍ମପତ୍ନୀ ମହେଶ୍ଵତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଧାୟକ ଦେବେଶ ଆଚାର୍ଯ୍ୟ ଫିତାକାଟି ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଓଡିଶା ରକ୍ତବିନ୍ଦୁର ସଂଯୋଜକ ଗୌରହରି ମିଶ୍ର, ବରଗଡ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର , ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବରଗଡ ଓକିଲ ସଙ୍ଘ ସଭାପତି ଭୀଷ୍ମଦେବ ସରାଫ ଉପସ୍ଥିତ ରହିଥିଲେ । ତେବେ ଆଜିର ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନଙ୍କୁ ବିଧାୟକ ଫୁଲତୋଡା ଦେଇ ଉତ୍ସାହିତ କରିଥିଲେ । ରକ୍ତଭଣ୍ଡାର ଖାଲିଥିବା ସମୟରେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ସ୍ଵଇଚ୍ଛାରେ ଆସି ରକ୍ତଦାନ ପରି ମହତ ଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ୍‌ ଜ୍ଞାପନ କରିଥିଲେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ । ତେବେ ଆଜିର ଏହି ରକ୍ତଦାନ ଶିବିରରେ ବରଗଡ ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବାବେଳେ ହାଟପଦାର ମାଁ ଜଗତଜନନୀ ଦୁର୍ଗା ମନ୍ଦିର କମିଟିର ସଭାପତି ସମେନ୍ଦ୍ର ଗହୀର, ସମ୍ପାଦକ ଉଦ୍ଧବ ଡ଼ାଙ୍ଗ, କୋଷାଧ୍ୟକ୍ଷ୍ୟ ବିକାଶ ପାଣିଗ୍ରାହୀ, ମନ୍ଦିର କମିଟି ସଦସ୍ୟ ରାଜେନ୍ଦ୍ର ପ୍ରଶାଦ ସିଂ, ଜଗନ୍ନାଥ କର୍ଣ୍ଣ, ୱାର୍ଡ କାଉନ୍ସିଲର ରାଜୁ ଦାସ, ମାତୃଶକ୍ତି ସେବା ସମିତି ହାଟପଦା ମାଁ ଦୁର୍ଗା ମହିଳା ସମିତି, ଦିଶା ମହିଳା ସମିତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ସଂକଳ୍ପ ପରିବାରର ସମସ୍ତ ସଦସ୍ୟମାନଙ୍କ ସହଯୋଗୀତାରେ ଏହି ରକ୍ତଦାନ ଶିବିର ସଫଳ ହୋଇଥିବାରୁ ମନ୍ଦିର କମିଟିର ସମସ୍ତ ସଦସ୍ୟ ସଂକଳ୍ପ ପରିବାରକୁ ଧନ୍ୟବାଦ୍‌ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

five × three =