କାହା ପାଇଁ ମାଳ ମାଳ ଯୋଜନା : ବିଶୁଦ୍ଧ ପାଣି ଟୋପାଏ ପାଇଁ ସରୁନି ଗ୍ରାମବାସୀଙ୍କ ସଂଘର୍ଷ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ମାଟିଆଭଟା ଗାଁରେ ଆରମ୍ଭ ହେଲାଣି ଉତ୍କଟ ଜଳ ସମସ୍ୟା । ୨୦୨୧-୨୨ରେ ୧ କୋଟି ୮ ଲକ୍ଷ ୪୬ ହଜାର ୫୮୭ ଟଙ୍କାରେ ଆରମ୍ଭ ହୋଇଥିଲା ବସୁଧା ପ୍ରକଳ୍ପ । ସମସ୍ତ ଆନୁସଙ୍ଗିକ ଉପକରଣ ମଧ୍ୟ ଲାଗିଥିଲା । ଏପରିକି ଗାଁରେ ପାଇପ ବିଛାଇ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମିତ ହୋଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ପାଣି ଟିକିଏ ପାଇ ପାରିଲେନି ଲୋକେ । ଜଳଉତ୍ସର ଅଭାବ ଦର୍ଶାଇ ଗୋଟିଏ ଦୁଇଟି ଜାଗାରେ ନୂଆ ବୋର ଖୋଲା ଗଲେ ମଧ୍ୟ କୌଣସି କାମ ଦେଲାନି । ଫଳରେ ସୁବିଧାରେ ସ୍ଵଚ୍ଛ ପାଣି ଟିକିଏ ପାଇବାର ଆଶା ମଧ୍ୟ ଆଶାରେ ରହିଗଲା । ମାଟିଆଭଟା ଗାଁର ଜଳ ସମସ୍ୟା ସବୁ ଦିନିଆ । ଏଠି ଦୁଇ ତିନୋଟି ଜାଗାରେ ନଳକୂଅ ଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁନି । ଲୋକେ ଗୋଟିଏ କିମି ଯାଇ ଗରିଆ ବାଲ୍‌ଟି ଧରି ଘଣ୍ଟା ଘଣ୍ଟା ନଳକୂପ ପାଖରେ ଧାଡିରେ ଠିଆ ହେଉଛନ୍ତି । ଅନେକ ଲୋକେ ପୋଖରୀ ପାଣି ବ୍ୟବହାର କରୁଛନ୍ତି । ଅନେକ ଥର ଅଭିଯୋଗ କଲେ ବି ପାଣିର ସମସ୍ୟାର ସମାଧାନ ହେଉନି । ଖରାମାସ ଥିବାରୁ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ଓ ବସୁଧା ଯୋଜନା କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏ ବିଷୟରେ ଖପ୍ରାଖୋଲ ଆର୍‌ଡ଼ବ୍ଲୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଚିନ୍ମୟ ପଧାନଙ୍କୁ ପଚରାଯିବାରୁ ଟାଙ୍କି ନିକଟରେ ଥିବା ବୋରରୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଉତ୍ସ ନଥିବା ଓ ବୋର କିଛି କ୍ଷଣ ଚାଲିଲା ପରେ ପୁଣି ପାଣି ବନ୍ଦ ହେଇଯାଉଥିବାରୁ ଯୋଗାଣ ପାଇଁ ଓଭର୍‌ ହେଡ଼ ଟାଙ୍କି ପୂର୍ଣ୍ଣ ହେଇପାରୁନି । ଯାହା ଦ୍ୱାରା ଜଳ ଯୋଗାଣରେ ଅସୁବିଧା ହେଉଥିବା କହିଥିଲେ ଏବଂ କିଛି ଦିନ ହେଲା ପାଖରେ ଗୋଟିଏ କୂଅ ଖନନ ପାଇଁ ଟେଣ୍ଡର ସରିଛି ତାହା ହୋଇ ସାରିଲେ ଜଳ ଯୋଗଣ ସ୍ୱାଭାବିକ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

nineteen + ten =