
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚୈତ୍ର ମାସ ସରିବା ପରେ ବୈଶାଖ ମାସ ଆରମ୍ଭ ହୋଇଥାଏ । ଏହି ବୈଶାଖ ମାସର ଆଗମନରେ ପଞ୍ଜାବୀମାନେ ବୈଶାଖୀ ଉତ୍ସବ ପାଳନ କରିଥାନ୍ତି । ଚଳିତ ବର୍ଷ ଟିଟିଲାଗଡ଼ ମାରୱାଡ଼ି ମହିଳା ମଣ୍ଡଳର ସଭାପତି ସରୋଜା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସହରର ବିଭିନ୍ନ ସଙ୍ଗଠନର ମହିଳାମାନଙ୍କୁ ନେଇ ଏହି ବୈଶାଖୀ ଉତ୍ସବ ଅତି ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଶିଷ୍ଟ ସମାଜସେବୀ ତଥା ଲାୟଂସ କ୍ଲବର ପୂର୍ବତନ ସଭାପତି ବିନ୍ଦୁ ସାହୁ ଯୋଗ ଦେଇଥିଲେ । ଏହି ବୈଶାଖୀ ଉତ୍ସବ ପାଳନ ପାଇଁ ଅତି ସୁନ୍ଦର ସାଜସଜ୍ଜା କରାଯାଇଥିଲା । ସମସ୍ତ ମହିଳା ପଞ୍ଜାବୀ ଡ୍ରେସ ପିନ୍ଧିବା ସହ ପଞ୍ଜାବୀ ଗୀତ ଗାଇଥିଲେ । ଏହି ଅବସରରେ ପଞ୍ଜାବୀ ଗୀତରେ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭଲ ଡ୍ରେସ ପରିଧାନ ତଥା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ମହିଳାଙ୍କୁ ମୁଖ୍ୟ ଅତିଥି ବିନ୍ଦୁ ସାହୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମାରୱାଡ଼ି ମହିଳା ମଣ୍ଡଳର ସମ୍ପାଦକ ସବିତା ଅଗ୍ରୱାଲ, କୋଷାଧ୍ୟକ୍ଷ ଲଳିତା ଲାଠ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଏଥିରେ ମାରୱାଡ଼ି ମହିଳା ମଣ୍ଡଳ, ପ୍ରଗତି ଶାଖା ଓ ଅନ୍ୟ ସମସ୍ତ ଅନୁଷ୍ଠାନର ମହିଳାମାନେ ଅଂଶ ଗ୍ରହଣ କରିଥିଲେ ।