ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ : ସମରେନ୍ଦ୍ର

  • ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଛନ୍ତି ସମରେନ୍ଦ୍ର । ଲମ୍ବା ସମୟ ରାଜ୍ୟରେ ଗୋଟିଏ ଦଳ ସରକାରରେ ରହିଥିବାରୁ ରାଜ୍ୟ ଶାସନରେ ଏକଛତ୍ରବାଦ ଓ ମନୋମୁଖୀ ମନୋବୃତି ଜଳ ଜଳ ହୋଇ ଦିଶୁଛି । ଲୋକଙ୍କ ମତକୁ ନେଇ ବିକାଶର ରୂପରେଖ ପ୍ରସ୍ତୁତ ହେବା ବଦଳରେ କିଛି ମୁଷ୍ଟିମେୟ ଅଧିକାରୀ ଶାସନ ତନ୍ତ୍ରକୁ ଜାବୁଡି ଧରିଛନ୍ତି । ଫଳରେ ଲୋକତନ୍ତ୍ର ଦୁର୍ବଳ ହୋଇ ସମାଜର ଶେଷ ଧାଡ଼ିର ଲୋକଙ୍କ ସାମାଜିକ, ଆର୍ଥିକ ବ୍ୟବସ୍ଥା ଅସୁରକ୍ଷିତ ହୋଇପଡିଛି । ଆପଣମାନେ ଜାଣିବା ଦରକାର କଂଗ୍ରେସ ସରକାର ହିଁ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ମନରେଗା, ଶିକ୍ଷା ଅଧିକାର ଆଇନ ପରି ଗରିବ କଲ୍ୟାଣକାରୀ ଯୋଜନା ଆଣିଛି । ତେଣୁ ଆପଣ ମାନେ ଏହିଥର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ହାତ ଚି଼ହ୍ନରେ ବିପୁଳ ପରିମାଣରେ ଭୋଟ୍‌ ଦେଇ ବିଜୟୀ କରନ୍ତୁ । ଆମେ ଗେରେଣ୍ଟି ଦେଉଛୁ, ଆପଣ ମାନଙ୍କ ସାମାଜିକ, ଆର୍ଥିକ ସୁରକ୍ଷାକୁ ନିଶ୍ଚିତ କରିବା ଆମର ପ୍ରଥମ ଲକ୍ଷ୍ୟ ହେବ ବୋଲି ଆଜି ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ସିକୁଆଁ, କୁତୁର୍ଲା ଏବଂ ଅଧ୍ୟକ୍ଷ ଠାରେ ଅନୁଷ୍ଠିତ ଜନଆଶୀର୍ବାଦ ସଭାରେ କଂଗ୍ରେସ ବିଧାୟକ ଦଳ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସରପଞ୍ଚ ରାଜକୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଥିଲେ ଯେ, ସିଂହଦେଓ ସାଂଜ୍ଞାଧାରୀ ଆମ ପ୍ରତିଦ୍ୱନ୍ଦୀମାନେ ବହୁତ ସମୟ ଧରି ଆମ ଲୋକଙ୍କ ଭୋଟ୍‌ ପାଇ ବିଭିନ୍ନ ପଦ ପଦବୀରେ ରହି ଆମ ଲୋକଙ୍କୁ ଠକିଛନ୍ତି, ଲୋକଙ୍କ କୌଣସି ବି ଅଭାବ ଅସୁବିଧା କି ଅଭିଯୋଗ ଶୁଣି ନାହାନ୍ତି । କାରଣ ଏମାନେ ନିର୍ବାଚନ ଜିତିଗଲେ ବଲାଙ୍ଗିରରେ ନରହି ଡେରାଡୁନ୍‌ରେ ରହନ୍ତି । ତେଣୁ ଲୋକେ ଏପରି ପରଦେଶିଆ ନେତାଙ୍କୁ ଏହି ନିର୍ବାଚନରେ ପ୍ରତ୍ୟାଖାନ କରନ୍ତୁ ବୋଲି ସମରେନ୍ଦ୍ର ମିଶ୍ର କହିଛନ୍ତି । ଏହି ନିର୍ବାଚନୀ ସଭାରେ ବିଧାୟକ ନରସିଂହ ମିଶ୍ର କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିବା ଗ୍ୟାରେଂଟି ସଂପର୍କରେ ଆଲୋଚନା କରିବା ସହିତ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

thirteen − twelve =