ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ବ୍ଲକ ବରଗାଁରେ ଅକ୍ଷି ମୁଠି ଅନୁକୂଳ କଲେ ସମରେନ୍ଦ୍ର

  • କଂଗ୍ରେସ ଦଳ ସରକାରକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ସହିତ କୃଷକଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ବ୍ୟବସ୍ଥା କରାଯିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବୈଦିପାଲି ଗ୍ରାମ ପଂଚାୟତ ବରଗାଁ ଗ୍ରାମରେ ଅକ୍ଷି ମୁଠି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଯାଇଛି । ଚାଷୀ ନେତା ସୌମେନ୍ଦ୍ର ପରିଚ୍ଛାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ଷି ମୁଠି ଅନୁକୂଳ କରିଥିଲେ । ପ୍ରଥମେ ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର ବରଗାଁ ସ୍ଥିତ ଚାଷ ଜମିରେ ହଳ ନଙ୍ଗଳ ବୁଲାଇବା ସହ ଧାନକୁ ବିଧି ଅନୁସାରେ ପୂଜାର୍ଚ୍ଚନା କରି ସାତ ମୁଠି ଧାନ ଚାଷ ଜମିରେ ବୁଣାଯାଇଥିଲା । ପରେ ସମବେତ ଚାଷୀ ଭାଇମାନଙ୍କ ଉଦ୍ଦେଶ୍ୟରେ ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସରକାର ଅମଳରେ ଚାଷୀକୂଳ ସର୍ବଦା ଶୋଷିତ ଏବଂ ଅବହେଳିତ ହୋଇପଡିଛି । ଚାଷୀ ତାର ଉତ୍ପାଦନର ସଠିକ ମୂଲ୍ୟ ପାଇ ପାରୁନାହିଁ । କଂଗ୍ରେସ ହିଁ ଏକମାତ୍ର ଦଳ ଯେ କି ଅତୀତରେ ହଜାର ହଜାର କୋଟି ଟଙ୍କା ଚାଷୀ ଋଣ ମାଫ କରି ଦେଶରେ ସବୁଜକ୍ରାନ୍ତି ଆଣି ପାରିଥିଲା । ରାଜ୍ୟରେ ବିଗତ ଲଗାତାର ୨୪ ବର୍ଷ ବିଜେଡି ଶାସନ ଓ ୯ ବର୍ଷ ବିଜେଡି-ବିଜେପିର ମିଳିତ ଶାସନରେ ସରକାର ସବୁବେଳେ ଚାଷୀ କୂଳକୁ ଅଣଦେଖା କରିଆସିଛି । ବର୍ତ୍ତମାନ ନିର୍ବାଚନରେ କଂଗ୍ରେସ ଦଳ ଗ୍ୟାରେଣ୍ଟି ଦେଉଛି ଯେ, କଂଗ୍ରେସ ସରକାରକୁ ଆସିଲେ ଚାଷୀଙ୍କୁ ବୋନସ୍‌ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା ପ୍ରଦାନ କରାଯିବ, କୃଷକଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ ତଥା କୃଷିଋଣ ସଂପୂର୍ଣ୍ଣ ଛାଡ କରାଯିବ, ପ୍ରତ୍ୟେକ ବିଜୁଳି ଉପଭୋକ୍ତା ୨୦୦ ୟୁନିଟ୍‌ ବିଦ୍ୟୁତ ଦେୟ ମାଗଣା, ପ୍ରତ୍ୟେକ ବର୍ଷ ୫ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ବ୍ୟବସ୍ଥା, ସାମାଜିକ ସୁରକ୍ଷା ଅନ୍ତର୍ଗତ ବିଧବା, ବିକଳାଙ୍ଗ ଏବଂ ବାର୍ଦ୍ଧକ୍ୟ ଭତ୍ତା ୨ହଜାର ଟଙ୍କାକୁ ବୃଦ୍ଧି, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ସହ କଂଗ୍ରେସ ଦଳ ଦେଇଥିବା ଅନ୍ୟାନ୍ୟ ଗ୍ୟାରେଣ୍ଟି ଉପରେ ଲୋକଙ୍କୁ ଅବଗତ କରାଇଥିଲେ ଶ୍ରୀ ମିଶ୍ର । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହେଶ୍ୱର ପଟେଲ, ସୁଧୀର ପଟେଲ, ଅଶୋକ ଗୁରୁ, ନବୀନ ବୁଡେକ, ରମେଶ ପଟେଲ, ପରମେଶ୍ୱର ଭୋଇ, ଅଲେଟର ଗୁରୁ, ଲକ୍ଷ୍ମୀଧର ବୁଡେକ, ଧୀରମନ ଗୁରୁ, ଟିକେମନ ବାଗ, ଗଣ୍ଡାରାମ ବାଗ ଏବଂ ରୁକ୍ମଣୀ ପଟେଲଙ୍କ ସହ ବହୁ ଚାଷୀ ଭାଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × five =