ସାହିତ୍ୟ ଏକାଡେମୀର କଥା ସନ୍ଧି କାର୍ଯ୍ୟକ୍ରମ

  • ଅନୁଭବ ଓ ପୀଡ଼ାରୁ ମୋର ସାହିତ୍ୟ ସୃଷ୍ଟି : ମନୋହର ମୌଲି ବିଶ୍ୱାସ

କୋଲକାତା, (କେପିଏନ୍‌ଏସ୍‌) : ସ୍ଥାନୀୟ ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ କଥା ସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି କଥାକାର ଭାବେ ଯୋଗଦେଇ ନିଜ ସାରସ୍ୱତ ଜୀବନଯାତ୍ରା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ସ୍ୱରଚିତ ଗଳ୍ପପାଠ କରିଥିଲେ ବିଶିଷ୍ଟ ବଙ୍ଗଳା ଲେଖକ ମନୋହର ମୌଲି ବିଶ୍ୱାସ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ନିଜ ସାହିତ୍ୟ ଯାତ୍ରା ସମ୍ପର୍କରେ ଶ୍ରୀ ବିଶ୍ୱାସ କହିଥିଲେ ଯେ, ବ୍ୟକ୍ତିଗତ ଅନୁଭବ ଏବଂ ଭୋଗିଥିବା ପୀଡ଼ା ଓ ଯନ୍ତ୍ରଣା ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରିଥିଲା । ନିଜେ ଭୋଗିଥିବା ଦାରିଦ୍ର୍ୟ ଏବଂ ସାମାଜିକ ବୈଷମ୍ୟକୁ ଭାଷା ଦେବାପାଇଁ ସେ ଚେଷ୍ଟା କରିଥିଲେ । ମରାଠୀ ଭାଷାର ପ୍ରଗତିଶୀଳ ସାହିତ୍ୟ ସମ୍ଭାର ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ବିଜ୍ଞାନସମ୍ମତ ଓ ଯୁକ୍ତିନିଷ୍ଠ ବିଚାର ଓ ଚେତନା ତାଙ୍କୁ ଉଦ୍‌ବୁଦ୍ଧ କରିଥିଲା । ପରବର୍ତ୍ତୀ ସମୟରେ ଦଳିତ ଚେତନାକୁ ନେଇ ସେ ଗଳ୍ପ, କବିତା ଏବଂ ପ୍ରବନ୍ଧମାନ ରଚନା କରିଥିଲେ । ସୃଜନଶୀଳ ସାହିତ୍ୟ ସୃଷ୍ଟି ସହିତ ସଙ୍ଗଠନ ଏବଂ ପତ୍ରିକା ସଂପାଦନା କ୍ଷେତ୍ରରେ ମଧ୍ୟ ସେ ଯୋଡ଼ି ହୋଇଥିଲେ । ସାହିତ୍ୟ ମାଧ୍ୟମରେ ବୈଷମ୍ୟ ବଦଳରେ ସମାନତା ପ୍ରତିଷ୍ଠା ହେଉ ବୋଲି ସେ ମତ ଦେଇଥିଲେ । ଏଥିସହିତ ସେ ସ୍ୱରଚିତ ବଙ୍ଗଳା ଗଳ୍ପ ‘ଚାନ୍ଦିପୁରେର ଲାଲ କାଁକଡ଼ା’ ପାଠ କରିଥିଲେ । ପରିଶେଷରେ ସେ ଉପସ୍ଥିତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଙ୍ଗଳା ସାହିତ୍ୟର ବହୁ ଲେଖକ ଲେଖିକା, ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ବିଶ୍ୱାସଙ୍କର ଦୁଇଟି ଗଳ୍ପ ସଂକଳନ, ଚାରିଟି କବିତା ସଂକଳନ, ସାତଟି ପ୍ରବନ୍ଧ ପୁସ୍ତକ ଏବଂ ଆତ୍ମଜୀବନୀ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Leave A Reply

Your email address will not be published.

fifteen − 8 =