
ଆଧ୍ୟାତ୍ମିକ ଚେତନା ରହିଲେ କାଳଜୟୀ ସାହିତ୍ୟ ସୃଷ୍ଟି ହେବ : ଡ. କାନୁନ୍ଗୋ
ସମୟ ଅନୁସାରେ ଆଧୁନିକତା ବଦଳିଥାଏ : ଡ. ମହାପାତ୍ର
- ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଧ୍ୟାତ୍ମିକ ଚେତନାରୁ ଆମେ ଦୂରେଇ ଯାଉଥିବାରୁ ଓଡ଼ିଆ ସାହିତ୍ୟରେ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇପାରୁନାହିଁ । ଆମ ଭାଷା ରଙ୍ଗ ହେଲେ ଆମ ସାହିତ୍ୟ ହେଉଛି ତା’ର ବିବିଧତା ବୋଲି ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ହରିହର କାନୁନଗୋ ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି । ରାଉରକେଲା ସହରର ଛେଣ୍ଡ୍ ସ୍ଥିତ ଧାମରା ସଂଘ ପରିସରରେ ବୈଶାଖୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଶଶଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ୩୫ତମ ବାର୍ଷିକ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ଉଦଘାଟକ ଭାବେ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ସ୍ୱର୍ଗତ ବେଣୁଧର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବୈଶାଖୀ ସାହିତ୍ୟ ସଂସଦ ସମ୍ପର୍କରେ ଆଲୋଚନା କରି ଏହି ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟର ବାର୍ତ୍ତାବହ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଭାଷାବିତ୍ ତଥା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଓଡ଼ିଆ ଭାଷାର ପ୍ରଫେସର ଡ. ଦେବାଶିଷ ମହାପାତ୍ର ‘ଆଧୁନିକ ସାହିତ୍ୟର ସ୍ଥିତି ଓ ଗତି’ ଶୀର୍ଷକ ଆଲୋଚନାରେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଥିବା ମାଦକତା ଓ ମିଠାପଣକୁ ଅନୁଭବ କରିବା ହେଉଛି ଆଧୁନିକତା ବୋଲି କହିଥିଲେ ସମୟ ଅନୁସାରେ ଆଧୁନିକତା ବଦଳିଥାଏ । ଭାରତର ଅନ୍ୟ ଭାଷା ତୁଳନାରେ ଓଡ଼ିଆ ଭାଷାର ଉତ୍କୃଷ୍ଟ ଭାଷାତତ୍ୱ ଓ ବ୍ୟାକରଣ ସମ୍ପର୍କରେ ଆଲୋଚନା କରି ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଓଡ଼ିଆ ଭାଷାର ଆଧୁନିକତା ଓ ଏହାର ସ୍ଥିତି ଏବଂ ଗତି ଭିନ୍ନ ଭିନ୍ନ ପ୍ରକାର ବୋଲି କହିଥିଲେ । ଉଦ୍ଘାଟକ ଭାବେ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଭାଷା ସାହିତ୍ୟକୁ ପ୍ରଚାର ପ୍ରସାର କରିବା ଦିଗରେ ଆହ୍ବାନ ଦେଇଥିଲେ । ସଭାପତି ଶଶିଧର ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ଓ ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ତଥା ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍ ଡ. କିଶୋରୀ ଦାସ, ଡ. ଉମାକାନ୍ତ ପଣ୍ଡା,ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ଅଧୀକ୍ଷକ କେଶବ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଓଡ଼ିଶା ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବୈଶାଖୀ ସାରସ୍ୱତ ସମ୍ମାନରେ ଡ.ହରିହର କାନୁନଗୋ ,ବୈଶାଖୀ ଭାରତୀ ସମ୍ମାନରେ ଡ. ଦେବାଶିଷ ମହାପାତ୍ର, ବୈଶାଖୀ ସଂସ୍କୃତି ସମ୍ମାନରେ ବାସନ୍ତୀ ପୃଷେଠ୍ ଓ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ବେଣୁଧର ଦାଶ ସ୍ମୃତି ସମ୍ମାନରେ କବି ଉପେନ୍ଦ୍ର ବସ୍ତିଆଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ବାର୍ଷିକ ମୁଖପତ୍ର ‘ବୈଶାଖୀ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସୁଶାନ୍ତ ନାୟକଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ସଂସଦର ସାଧାରଣ ସମ୍ପାଦକ ଚନ୍ଦ୍ରଧ୍ୱଜ ମାଝି ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ସଂସଦର ଯୁଗ୍ମ ସଂପାଦିକା ନିରୁପମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ଲେଖିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୌରହିତ୍ୟ ତଥା ରେବତୀ ବଲ୍ଲଭ ବେହେରା, ଚିନ୍ମୟୀ ପୁରୋହିତ,ସୁଚିସ୍ମିତା ପଣ୍ଡା, ରୀନାରାଣୀ ସ୍ୱାଇଁଙ୍କ ସଂଯୋଜନାରେ କବିତାପାଠ କାର୍ଯ୍ୟକ୍ରମରେ ସହରର କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବୈଶାଖୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସ୍ୱର୍ଗତ ବେଣୁଧର ଦାଶଙ୍କ ପରିବାରର ସଦସ୍ୟମାନେ ଯୋଗଦେଇଥିଲେ ।